ଲୋକପ୍ରିୟତାର ଗ୍ରାଫରେ ମୋଦିଙ୍କୁ ପଛରେ ପକାଇଲେ ରାହୁଲ । କେରଳ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ପ୍ରଥମ ପସନ୍ଦ

68

ଲୋକପ୍ରିୟତାର ଗ୍ରାଫରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଛରେ ପକାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଦୁଇ ଦକ୍ଷିଣ ରାଜ୍ୟ କେରଳ ଓ ତାମିଲନାଡରୁ ଆସିଥିବା ସର୍ଭେ ରିପୋର୍ଟ କଂଗ୍ରେସ ଶିବିରକୁ ଉତ୍ସାହିତ କରିଛି । ଏହି ଦୁଇ ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧୀ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ଏହି ଦୁଇ ରାଜ୍ୟରେ ମୋଦିଙ୍କୁ ପଛରେ ପକାଇଛନ୍ତି ରାହୁଲ ଗାନ୍ଧି । କେବଳ ଏତିକି ନୁହେଁ ଏହି ଦୁଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରବଳ ଅସନ୍ତୋଷ ରହିଛି ।

କେରଳରେ ହୋଇଥିବା ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୩୮ ପ୍ରତିଶତ ଲୋକ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ଚାହୁଁଥିବା ବେଳେ ମାତ୍ର ୩୧ ପ୍ରତିଶତ ଲୋକ ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଏହି ପଦରେ ଦେଖିବାକୁ ଚାହୁଁଛନ୍ତି । ଠିକ୍ ସେହିଭଳି ତାମିଲନାଡୁରେ ହୋଇଥିବା ସର୍ଭେରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ୩୬ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ମୋଦିଙ୍କୁ ଏହି ଆସନରେ ଆଉ ଥରେ ବସାଇବାକୁ ମାତ୍ର ୨୯ ପ୍ରତିଶତ ଲୋକ ଚାହୁଁଛନ୍ତି ।

ସେହିଭଳି କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ରାଜ୍ୟରେ ନିଜର ଲୋକପ୍ରିୟତା ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ୪୨ ପ୍ରତିଶତ ଲୋକ ବିଜୟନ ସରକାରଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ଥିବା ବେଳେ ବିଜୟନଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି ୨୭ ପ୍ରତିଶତ ଭୋଟର । ଅନ୍ୟପଟେ ଯଦି ତାମିଲନାଡୁ କଥା ଦେଖିବା ତେବେ ପଲାନିସ୍ୱାମୀ ସରକାର ଉପରେ ଅସନ୍ତୁଷ୍ଟ ଅଛନ୍ତି ୫୪ ପ୍ରତିଶତ ଭୋଟର । ସର୍ଭେ ରିପୋର୍ଟ ପଲାନିସ୍ୱାମୀଙ୍କୁ ବଡ ଝଟକା ଦେଇଛି । ତାମିଲନାଡୁରେ ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେ ସରକାର ଉପରେ ଆସ୍ଥା ହରାଇଛନ୍ତି ଭୋଟର । ଯାହାର ଫାଇଦା ବିରୋଧୀ ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନଙ୍କୁ ମିଳିଛି । ତାମିଲନାଡୁର ଜନତା ପଲାନିସ୍ୱାମୀଙ୍କ ବଦଳରେ ଷ୍ଟାଲିନଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ୪୧ ପ୍ରତିଶତ ଲୋକଙ୍କର ଷ୍ଟାଲିନ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ମାତ୍ର ୧୦ ପ୍ରତିଶତ ଲୋକ ଚାହୁଁଛନ୍ତି ପଲାନିସ୍ୱାମୀ ପୁର୍ନବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।