ସାଂସଦ ପଦ ଯିବା ପରେ ପରେ ଏବେ ଘର ଛାଡିବାକୁ ନୋଟିସ୍ । ସରକାରୀ ଆବାସ ଛାଡିବାକୁ ରାହୁଲଙଅକୁ ନୋଟିସ୍ କଲା ଲୋକସଭା ଆବାସ ସମିତି ।

155

କନକ ବ୍ୟୁରୋ: ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ ସମିତି ରାହୁଲ ଗାନ୍ଧୀଙ୍କୁ ନିଜ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦେଇଛି । ନୋଟିସ୍ ମୁତାବକ ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ରାହୁଲଙ୍କୁ ନିଜର ସରକାରୀ ଆବାସ ଖାଲି କରିବାକୁ ପଡିବ ।

ଶୁକ୍ରବାର ଲୋକସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯିବା ସହିତ ରାହୁଲଙ୍କ ସଦସ୍ୟତା ରଦ୍ଦ ନେଇ ଘୋଷଣା କରାଯାଇଥିଲା । କେରଳର ୱାୟନାଡରୁ ସାଂସଦ ଥିବା ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ଏହାପରେ ଏବେ ରାହୁଲଙ୍କୁ ସରକାରୀ ଆବାସ ଖାଲି କରିବାକୁ ନୋଟିସ୍ ଦିଆଯାଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରତର କୋର୍ଟ ମୋଦୀ ସରନେମକୁ ନେଇ ସଜ୍ଜା ଶୁଣାଇଥିଲେ । ଏଙି ମାନହାନୀ ମକଦ୍ଦମାରେ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏହାପରେ ଜନପ୍ରତିନିଧି ଆଇନ୍ ଅନୁସାରେ ରାହୁଲଙ୍କୁ ସଂସଦର ସଦସ୍ୟ ପଦକୁ ରଦ୍ଦ କରିଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଏବେ ଲୁଟିୟନ୍ସ ଦିଲ୍ଲୀର ୧୨, ତୁଗଲକ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି । ୨୦୦୪ରେ ରାହୁଲ ଗାନ୍ଧୀଙ୍କୁ ଏହି ସରକାରୀ ଆବାସ ଆବଣ୍ଟିତ କରାଯାଇଥିଲା । ଏବେ ଏହି ଘରକୁ ଖାଲି କରିବେ ରାହୁଲ ଗାନ୍ଧୀ ।