କନକ ବ୍ୟୁରୋ : ଶେଷରେ କୋର୍ଟରେ ଅପିଲ୍ କରିବେ ରାହୁଲ ଗାନ୍ଧୀ । ସୁରଟ କୋର୍ଟର ଦୁଇ ବର୍ଷର ଦଣ୍ଡାଦେଶକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ରାହୁଲଙ୍କ ଅପିଲ୍ ତାଙ୍କ ସମର୍ଥକଙ୍କ ମନରେ ଉତ୍ସାହ ବଢାଇଛି । ମାନହାନୀ ମାମଲାରେ ୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ରାହୁଲ ଆଜିି ଅପିଲ କରିପାରନ୍ତି । ସେପଟେ ଭୁବନେଶ୍ୱରରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହେବାକୁ ନେଇ ଆନ୍ଦୋଳନ ଜୋରଦାର ହୋଇଛି ।

Advertisment

ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲଙ୍କୁ ଦଣ୍ଡାଦେଶ ଦେବା ସହ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଥିଲେ ଏବଂ ଜାମିନ ପ୍ରଦାନ କରିଥିଲେ । ଦଣ୍ଡାଦେଶ ପାଇବା ପରଦିନ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା । ଏପରି ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳଗୁଡ଼ିକ ବୁଲେଟ୍ ଟ୍ରେନ୍ ସହ ତୁଳନା କରିଥିଲେ । ଯଦି ଉପର କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନ କରନ୍ତି, ତେବେ ନିର୍ବାଚନ କମିସନ ୱାୟନାଡ଼ ଲୋକସଭା ଆସନ ପାଇଁ ସ୍ବତନ୍ତ୍ର ଉପନିର୍ବାଚନ ଘୋଷଣା କରିବେ। ରାହୁଲଙ୍କୁ ମଧ୍ୟ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବ ନାହିଁ ।