ତମାଣ୍ଡୋ ପଡିଆରେ ରାଜାନୀତିର ତାଉ ! ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ, କହିଲେ ନବୀନଙ୍କୁ ରିମୋଟରେ ଚଳାଉଛନ୍ତି ମୋଦି, ରାଜ୍ୟରେ ଚାଲିଛି ଅମଲା ଶାସନ ।

120

କନକ ବ୍ୟୁରୋ : ପରିବର୍ତ୍ତନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ । ସମାବେଶ ଆଗରୁ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଆଉ ଏହି ଆଲୋଚନା ବେଳେ ରାହୁଲଙ୍କ ଟାର୍ଗେଟକୁ ଆସିଥିଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା । ରାହୁଲ ଅଭିଯୋଗ କରି କହିଥିଲେ, ନବୀନ ସରକାରଙ୍କ କାଳିଆ ଯୋଜନା କଂଗ୍ରେସର ଇଫେକ୍ଟ । କଂଗ୍ରେସର ଏମଏସପି ବୃଦ୍ଧି ଏବଂ କୃଷିଋଣ ଛାଡ ନିଷ୍ପତି ଓଡ଼ିଶା ସରକାରଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା ବୋଲି ରାହୁଲ କହିଛନ୍ତି । ଆଉ ଏସବୁ ଭିତରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତ୍ୟକ୍ଷ ରାଜନୀତିକୁ ଆସିବାର ଗୁଢ଼ ରହସ୍ୟର ଉନ୍ମୋଚନ କରିଛନ୍ତି ।

‘କାଳିଆ’କୁ କଂଗ୍ରେସ ଅଧ୍ୟକ୍ଷଙ୍କ କଟାକ୍ଷ :

ଓଡିଶା ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଉପରେ କଡା ଟିପ୍ପଣୀ କରିଛନ୍ତି । ରାହୁଲ ଅଭିଯୋଗ କରିଛନ୍ତି, ନବୀନ ସରକାରଙ୍କ କାଳିଆ ଯୋଜନା କଂଗ୍ରେସର ଇଫେକ୍ଟ । ଛତିଶଗଡରେ ଏମଏସପି ବୃଦ୍ଧି ଓ ତିନି ରାଜ୍ୟରେ କୃଷିଋଣ ଛାଡ ପରେ ଚାଷୀଙ୍କ ପାଇଁ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି ନବୀନ ସରକାର ।

ବିଜେପି ଓ ଆରଏସଏସକୁ ଟାର୍ଗେଟ୍ :

ଓଡିଶା ମାଟିରୁ ବିଜେପି ଓ ଆରଏସଏସକୁ ବି ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ମୋଦି ଘୃଣା ଓ ଅସ୍ୱୀୟାର ରାଜନୀତି କରୁଥିବା କହିବା ସହ କଂଗ୍ରେସ ଗାଳିକୁ ବି ଉପହାର ଭାବେ ଗ୍ରହଣ କରେ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଅନ୍ୟମାନଙ୍କ କଥା ଶୁଣିବାକୁ ମୋଦି ପସନ୍ଦ କରନ୍ତି ନାହିଁ, କିନ୍ତୁ କଂଗ୍ରେସର ମଡେଲ ଭିନ୍ନ ଓ ଲୋକଙ୍କ ମତାମତ ନେଇ ସରକାର ଚଳାଇବାକୁ ଚାହୁଁଥିବା କହିଛନ୍ତି ରାହୁଲ ଗାନ୍ଧି । 

ମୋଦି ଓ ନବୀନଙ୍କ ଭିତରେ ମେଳ :

ଭୁବନେଶ୍ୱର ମେ’ ଫେୟାର ହୋଟଲର ଟାଉନ ହଲରୁ ଉଭୟ ମୋଦି ଓ ନବୀନଙ୍କୁ ଟାର୍ଗେଟ କରିବା ସହ ଦୁହିଁଙ୍କ ଭିତରେ ଥିବା ସାମଞ୍ଜସ୍ୟକୁ ନେଇ ରାହୁଲ ଟିପ୍ପଣୀ କରିଛନ୍ତି । ଦୁହେଁ ଏକଛତ୍ରବାଦୀ, କ୍ଷମତାକୁ ନିଜ ପାଖରେ ରଖିବାକୁ ଚାହାନ୍ତି, ହେଲେ ମୋଦିଙ୍କ ପରି ନବୀନ ଘୃଣାର ରାଜନୀତି କରନ୍ତି ନାହିଁ ବୋଲି ପାର୍ଥକ୍ୟ ଦର୍ଶାଇଛନ୍ତି ।  

ପିଲାଙ୍କ ପାଇଁ ଡେରିରେ ଆସିଲେ ପ୍ରିୟଙ୍କା :

ବହୁ ବିଳମ୍ବରେ ପ୍ରିୟଙ୍କା ଗାନ୍ଧି ପାର୍ଟିରେ ଯୋଗଦେବାର କାରଣ ନେଇ ମଧ୍ୟ ଖୁଲାସା କରିଛନ୍ତି ରାହୁଲ । ପିଲାମାନେ ଛୋଟ ଥିବାରୁ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିପାରିନଥିବା ସ୍ପଷ୍ଟ କରିଛନ୍ତି । ଜାତୀୟ ରାଜନୀତିରେ ଏହି ପ୍ରସଙ୍ଗକୁ ନେଇ ହଟଚମଟ ଲାଗିରହିଥିବାବେଳେ ଓଡିଶା ମାଟିରେ ରହସ୍ୟ ଖୋଲିଛନ୍ତି ରାହୁଲ ଗାନ୍ଧି । ବୁଦ୍ଧିଜୀବୀଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ନିଜର ଓ ଦଳର ଅଭିମୁଖ୍ୟ ରଖିଛନ୍ତି ରାହୁଲ ଗାନ୍ଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ୨୦୧୯ ସାଧାରଣ ନିର୍ବାଚନ ଲାଗି ନିଜ ରଣନୀତି ବାବଦରେ ଆଭାସ ଦେଇଛନ୍ତି ।