ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ‘ଏମିତି କିଛି ସ୍ଥାନ ନାହିଁ ଯେଉଁ ସ୍ଥାନରୁ ସରକାର ଲୁଟ୍ କରୁ ନାହାନ୍ତି’

169

କନକ ବ୍ୟୁରୋ : ଦରବୃଦ୍ଧି ଓ ବେରୋଜଗାରକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଆଜି ଏକ ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି କି, ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ଜନତାଙ୍କ ଠାରୁ ଲୁଟ୍ କରୁଛନ୍ତି । ଏନେଇ ସେ ସାଧାରଣ ଲୋକଙ୍କୁ ପଚାରିଛନ୍ତି କି ‘ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଆପଣ କଣ ଅନୁଭବ କରିପାରୁ ନାହାନ୍ତି କି କେନ୍ଦ୍ର ସରକାର ଆପଣ ମାନଙ୍କୁ ଲୁଟୁଛନ୍ତି ?’ ।

ଏହା ପୂର୍ବରୁ ଶୁକ୍ରବାର ଦିନ ବି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ‘ରୋଜଗାର ବନ୍ଦ, ମେହେଙ୍ଗାଇ ବୁଲନ୍ଦ, ସରକାର ମସ୍ତ’ ।  ଖାଲି ଏତିକି ନୁହେଁ ମୋଟେରା ଷ୍ଟାଡିୟମକୁ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ରାହୁଲ କହିଥିଲେ କି ସତ ଯେମିତି ହେଲେ ବି ପଦାକୁ ଆସିଗଲା, ନରେନ୍ଦ୍ର ମୋଦିଙ୍କ ନାମରେ ଷ୍ଟାଡିୟମ, ଗୋଟିଏ ପଟେ ଆଦାନୀ ଆଣ୍ଡ ଅନ୍ୟ ପଟେ ରିଲିୟାନ୍ସ ଆଣ୍ଡ , ଅଧ୍ୟକ୍ଷ ଜୟ ଶାହା ।

କହିରଖୁ କି ଦେଶରେ ପ୍ରତିଦିନ ତୈଳ, ରୋଷେଇ ଗ୍ୟାସ ଓ ଖାଦ୍ୟସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କଂଗ୍ରେସ ଦଳ ବାରମ୍ବାର କେନ୍ଦ୍ରସରକାରଙ୍କ ବିରୋଧରେ ଧାରଣା ପ୍ରଦର୍ଶନ କରୁଛି । ଦିଲ୍ଲୀରେ କଂଗ୍ରେସ ଖାଲି ସିଲିଣ୍ଡର ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କେନ୍ଦ୍ରସରକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛି । କଂଗ୍ରେସ ନେତା କହିଛନ୍ତି କି କେନ୍ଦ୍ରସରକାରଙ୍କୁ ଲଜ୍ଜା ଲାଗିବା ଦରକାର । ଯେତେବେଳେ ଦେଶର ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେଉଛି , ଲୋକମାନେ ସେମାନଙ୍କର ରୋଜଗାର ହରାଉଛନ୍ତି । ଠିକ୍ ସେତିକି ବେଳେ ସରକାର ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି କରି କେଉଁ ଆଚ୍ଛାଦିନ ଆଣୁଛନ୍ତି ?