ରାଫେଲ ପ୍ରସଙ୍ଗରେ ସଂସଦରେ ପ୍ରବଳ ହଟ୍ଟଗୋଳ । ମୋଦିଙ୍କୁ ରାହୁଲଙ୍କ ସିଧା ଆକ୍ରମଣ, କହିଲେ, ସଂସଦରେ ମୁକାବିଲା କରିବାକୁ ନାହିଁ ମୋଦିଙ୍କ ସାହାସ

139

କନକ ବ୍ୟୁରୋ : ସଂସଦରେ ଚାଲିଲା ରାଫେଲ ଯୁଦ୍ଧ । ରାଫେଲ୍ ଡିଲ୍ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଲୋକସଭାରେ ମୋଦିଙ୍କୁ ରାହୁଲ, ରାଫେଲର ମୂଲ୍ୟ, ପ୍ରକ୍ରିୟା ଏବଂ ପୃଷ୍ଠପୋଷକ ନେଇ ପ୍ରଶ୍ନ କରିଛନ୍ତି । ଏପରିକି ସଂସଦକୁ ମୁକାବିଲା କରିବାକୁ ମୋଦିଙ୍କ ସାହସ ନାହିଁ ବୋଲି ରାହୁଲ କହିଥିଲେ । ସେପଟେ ଗୃହରେ ରାହୁଲଙ୍କ ପ୍ରଶ୍ନର ଜବାବ ରଖି ଜେଟଲୀ କହିଛନ୍ତି, ଅଭ୍ୟାସଗତ ଭାବେ ମିଛ କହିଚାଲିଛି କଂଗ୍ରେସ । ପ୍ରତିରକ୍ଷା ଦୁର୍ନୀତିର ଷଡଯନ୍ତ୍ରକାରୀ ଏବେ ଅନ୍ୟକୁ ଆଙ୍ଗୁଳି ଦେଖାଉଛନ୍ତି ।

ପ୍ରାଇସ, ପ୍ରୋସେସ୍ ଆଣ୍ଡ ପାଟ୍ରୋନେଜ୍ । ଅର୍ଥାତ୍ ମୂଲ୍ୟ, ପ୍ରକ୍ରିୟା ଏବଂ ପୃଷ୍ଠପୋଷକ । ରାଫେଲ ଡିଲରେ ଏହି ତିନିଟି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି, ୧୨୬ରୁ ୩୬ଟି ବିମାନର ଡିଲ ହେଲା କାହିଁକି? ଆଇଏଏଫ ତାଲିକା ବଦଳାଇଲା କିଏ? ରାଫେଲ ପ୍ରାଇସ୍ ବଢିଲା କାହିଁକି? ଏବଂ ହାଲ୍ ବଦଳରେ ଅମ୍ବାନୀଙ୍କୁ କାହିଁକି ଦିଆଗଲା ଡିଲ୍? ପୁରୁଣା ଡିଲ ବଦଳାଇବା ପଛର ରହସ୍ୟ କଣ ବୋଲି ଗୃହରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ ।

ଗୃହରେ ରାହୁଲଙ୍କ ରାଫେଲ ପ୍ରଶ୍ନର ଜବାବ ରଖିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । କହିଥିଲେ, ବାରମ୍ବାର ମିଛ କହିଚାଲିଛି କଂଗ୍ରେସ । ପ୍ରତିରକ୍ଷା ଦୁର୍ନୀତିର ଷଡଯନ୍ତ୍ରକାରୀ ଏବେ ଅନ୍ୟକୁ ଆଙ୍ଗୁଳି ଦେଖାଉଛନ୍ତି । ସଂସଦରେ ରାଫେଲକୁ ନେଇ ମତ ରଖିବା ବେଳେ ତତକାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଟାଣିଥିଲେ ରାହୁଲ । ଏନେଇ ଏକ ଭିଡିଓ ଟେପକୁ ସଂସଦରେ ଜାରି କରିବାକୁ ବାଚସ୍ପତିଙ୍କୁ ସେ ବାରମ୍ବାର ଅନୁରୋଧ କରିଥିଲେ । ରାହୁଲ ଦାବି କରିଥିଲେ, ଭିଡିଓରେ ପାରିକର ନିଜ ମନ୍ତ୍ରୀଙ୍କୁ ରାଫେଲ ଡିଲ୍ ସମ୍ପର୍କିତ ସମସ୍ତ ଡକ୍ୟୁମେଂଟ୍ ନିଡ ବେଡରୁମରେ ଥିବା କଥା କହିଛନ୍ତି ।

ରାଫେଲ ଆଲୋଚନା ଚାଲିଥିବା ବେଳେ ଗୃହରେ ଅନୀଲ ଅମ୍ବାନୀଙ୍କ ନାଁ ନେବାକୁ ମନା କରିଥିଲେ ବାଚସ୍ପତି । କହିଥିଲେ, ସେ ସଂସଦର ସଦସ୍ୟ ନୁହଁନ୍ତି । ଏଥିରେ ରାହୁଲ ପ୍ରଶ୍ନ କରିଥିଲେ, ଅନୀଲ ଅମ୍ବାନୀ କଣ ବିଜେପିର ସଦସ୍ୟ? ଅନୀଲ ଅମ୍ବାନୀ ନକହି ତା ବଦଳରେ ସେ ଡବଲ ଏ କହିପାରିବେ କି? ରାଫେଲକୁ ନେଇ ସଂସଦର ପରିବେଶ ଏତେ ସରଗରମ ହୋଇଯାଇଥିଲା ଯେ, ଗୃହ କାର୍ଯ୍ୟ ଆଉ ଆଗକୁ ବଢି ପାରିଲାନି । ଗୃହରେ ବିଶୃଙ୍ଖଳା ଅଭିଯୋଗରେ ଏଆଇଏଡିଏମକେ କିଛି ସଦସ୍ୟଙ୍କୁ ୫ ଦିନ ପାଇଁ ସସପେଣ୍ଡ କରିଥିଲେ ବାଚସ୍ପତି ।

ରାଫେଲ ପ୍ରସଙ୍ଗରେ ଗୃହରେ ହଙ୍ଗାମା ଚାଲିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଏନେଇ ପ୍ରଶ୍ନ ଉଠାଇଥିଲା ବିଜେଡି । ଦଳର ସାଂସଦ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, କତାର ଖୁବ କମ ମୂଲ୍ୟରେ ଏସବୁ ବିମାନ କିଣିଛି । ତେଣୁ ରାଫେଲ କିଣିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି କହିଛନ୍ତି କଳିକେଶ ।