ମନି ଲଣ୍ଡରିଂ ମାମଲା : ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

78

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର ଦ୍ୱିତୀୟ ନୋଟିସ୍ ପରେ ରାହୁଲ ଗାନ୍ଧୀ ଆଜି ହାଜର ହେବେ । ଇଡିରେ ରାହୁଲ ଗାନ୍ଧୀଙ୍କ ହାଜର ହେବାକୁ ନେଇ କଂଗ୍ରେସ ସତ୍ୟାଗ୍ରହ କରିବାକୁ ଘୋଷଣା କରିଛି ।

ଇଡିରେ ରାହୁଲ ହାଜର ହେବାକୁ ଥିବା ବେଳେ ସାରା ଦେଶରେ ପ୍ରାୟ ୨୫ଟି ଇଡି ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ । ସକାଳ ୯ଟା ବେଳେ କଂଗ୍ରେସ ନେତା ଓ କର୍ମକର୍ତ୍ତା ପାର୍ଟି ମୁଖ୍ୟାଳୟରେ ଏକତ୍ରିତ ହେବେ, ଯାହା ପରେ ଜନପଥ ରୋଡସ୍ଥିତ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଯୋଜନା କରିଥିଲେ । କିନ୍ତୁ ରାଲିକୁ ଦିଲ୍ଲୀ ପୋଲିସ୍ ଅନୁମତି ଦେଇନାହିଁ । ପୋଲିସର କହିବା ଅନୁସାରେ, କଂଗ୍ରେସ କର୍ମୀମାନେ ଆକବର ରୋଡରେ ଧାରଣା ଦେବା ପାଇଁ ଅନୁମତି ମାଗିଥିଲେ ।

ନ୍ୟାସନାଲ ହେରାଲ୍ଡ ମନିଂ ଲଣ୍ଡରିଂ ମାମଲାରେ ସୋନିଆଙ୍କୁ ଜୁନ ୮ ତାରିଖରେ ଇଡିରେ ହାଜର ହେବାର ଥିଲା । କିନ୍ତୁ ୨ ତାରିଖରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ । ଏହାପରେ ଜୁନ ୨୩ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ଇଡି କହିଥିଲା । ଏବେ ହସପିଟାଲରେ ଭର୍ତ୍ତି ହେବା ପରେ ସୋନିଆ ଇଡିରେ ହାଜର ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।