ରାହୁଲ ଗାନ୍ଧୀଙ୍କ ‘ଜୟ ସିୟାରାମ’ ବୟାନକୁ ନେଇ ବିବାଦ । ବିଜେପି କହିଲା, ବିଜେପିକୁ ଦରକାର ନାହିଁ ରାହୁଲଙ୍କ ସାର୍ଟିଫିକେଟ

133

କନକ ବ୍ୟୁରୋ : ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ବିବାଦ ଜୋର ଧରିଛି । ଶୁକ୍ରବାର ବିଜେପି ଓ ଆରଏସଏସକୁ ‘ଜୟ ସିୟାରାମ’ କହିବାକୁ ପରାମର୍ଶ ଦେଇଥିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ବୟାନ ପରେ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ରାହୁଲଙ୍କୁ ଟାର୍ଗେଟ୍ କରି ବିଜେପି ନେତା ଶାହନୱାଜ ହୁସେନ୍ କହିଛନ୍ତି ଯେ ବିଜେପିକୁ ରାହୁଲ ଗାନ୍ଧୀଙ୍କ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ସେହିପରି ଅନ୍ୟ ବିଜେପି ନେତା ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି ଯେ ଭାରତୀୟ ସଂସ୍କୃ୍ତି ବିଷୟରେ ରାହୁଲଙ୍କୁ କିଛି ଜଣାନାହିଁ । ସେହିପରି ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ୱୱେସୀ ରାହୁଲଙ୍କୁ ସମାଲୋଚନା କରିଛନ୍ତି ।

ମଧ୍ୟ ପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏକ ସଭାକୁ ସମ୍ବୋଧନ କରି ‘ଜୟ ଶ୍ରୀରାମ’, ‘ଜୟ ସିୟାରାମ’ ଏବଂ ‘ହେ ରାମ’ ନାରାକୁ ନିଜ ଢଙ୍ଗରେ ବର୍ଣ୍ଣନା କରିଥିଲେ । ଆଉ ଏହାରି ଭିତରେ ସେ ଆରଏସଏସ ଓ ବିଜେପିକୁ ଟାର୍ଗେଟ କରିଥିଲେ । ଆରଏସଏସ ଓ ବିଜେପି ସଦସ୍ୟମାନେ ବ୍ୟକ୍ତିଗତ ସ୍ତରରେ ଭଗବାନ ରାମଙ୍କ ଜୀବନଶୈଳୀକୁ ଆଦୌ ମାନନ୍ତି ନାହିଁ   । ସେମାନେ ‘ସିୟାରାମ’ ଓ ‘ସୀତାରାମ’ କେବେ କୁହନ୍ତି ନାହିଁ । କାରଣ ସେମାନଙ୍କ ସଂଗଠନରେ ଗୋଟିଏ ବି ମହିଳା ନାହାନ୍ତି । ତେଣୁ ସେମାନଙ୍କ ସଂଗଠନରେ ସୀତାଙ୍କୁ କୌଣସି ସ୍ଥାନ ମିଳିନାହିଁ ବୋଲି ରାହୁଲ କହିଥିଲେ ।