ଆମକୁ ମାରିଦିଅ କି ପୋତିଦିଅ, ଆମକୁ ଟିକିଏ ବି ଫରକ ପଡିବନି । ଜାଣନ୍ତୁ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ । ଦେଖନ୍ତୁ ଭିଡ଼ିଓ ।

175

କନକ ବ୍ୟୁରୋ : ଆମକୁ ମାରିଦିଅ, ବନ୍ଦୀ କର ରଖ କି ପୋତିଦିଅ । ଆମକୁ କିଛି ବି ଫରକ ପଡିବନି । କାରଣ ଆମ ପରିବାର ଆମକୁ ଏମିତି ଟ୍ରେନିଂ ଦେଇଛି । ବର୍ଷ ବର୍ଷ ଧରି ଆମେ ଏମିତି ଟ୍ରେନିଂ ପାଇଛୁ । ଏଭଳି ବୟାନ ରଖି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ଗାନ୍ଧୀ । ଭଉଣୀ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିବା ପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଲକ୍ଷ୍ମୀପୁରକୁ ଯାଉଥିବା ବେଳେ ତାଙ୍କ ଭଉଣୀକୁ ଗିରଫ କରାଯାଇଛି । ତାଙ୍କ ସହ ଖରାପ ବ୍ୟବହାର କରାଯାଇଛି । ମୁଁ ହୁଏ କି ପ୍ରିୟଙ୍କା ହ୍ରୁଅନ୍ତୁ ଅବା ଆମ ପରିବାରର ଆଉ କେହି ହୁଅନ୍ତୁ । ଆମକୁ ମାରି ଦିଅନ୍ତୁ, ବନ୍ଦୀ କରି ରଖନ୍ତୁ, ପୋତି ଦିଅନ୍ତୁ, ଖରାପ ବ୍ୟବହାର କରନ୍ତୁ । ଆମକୁ ସେଥିରେ ଟିକିଏ ବି ଫରକ ପଡିବନି । କାରଣ ଆମ ପରିବାର ଆମକୁ ଏଭଳି ଶିକ୍ଷା ଦେଇଛି । ମାମଲା ଏବେ ଚାଷୀଙ୍କ ନ୍ୟାୟର, ତେଣୁ ଏହାକୁ ନେଇ ଲଗାତାର ସ୍ୱର ଉଠାଇବୁ । ପ୍ରିୟଙ୍କା ଗାନ୍ଧୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ରଖାଯାଇଛି ସତ କିନ୍ତୁ ଏଠାରେ ବଡ ମୁଦ୍ଦା ହେଉଛି ଚାଷୀଙ୍କୁ ନ୍ୟାୟ ଦେବାର ।

ଏହାସହ ଲକ୍ଷ୍ମୀପୁର ଯିବାକୁ ଘୋଷଣା କରିଛନ୍ତି ରାହୁଲ । ତାଙ୍କୁ ଅନୁମତି ମିଳିନି ସତ କିନ୍ତୁ ଘଟଣାସ୍ଥଳକୁ ସେ ନିଶ୍ଚୟ ଯିବେ । ଲକ୍ଷ୍ମୀପୁରରେ ୧୪୪ ଧାରା ଲାଗିଛି । ଆଉ ନିୟମ ଅନୁଯାୟୀ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି କିନ୍ତୁ ଆମେ ୩ ଜଣ ଯାଉଛୁ ଓ ଏଥିପାଇଁ ଚିଠି ଲେଖି ଅନୁମତି ମାଗିଛୁ । ବିରୋଧୀଙ୍କ କାମ ହେଉଛି ସରକାରଙ୍କ ଉପରେ ଚାପ ପକାଇବା, ଯାହାଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ ଥିଲେ ମଧ୍ୟ ଲକ୍ଷ୍ମୀପୁର ଯାଇନଥିଲେ । ଗତ କିଛି ଦିନ ହେବ ଚାଷୀଙ୍କ ଉପରେ ଆକ୍ରମଣ ହେଉଛି । ଚାଷୀଙ୍କୁ ଜିପ୍ ଚଢାଇ ହତ୍ୟା କରାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।