ଆଜି ଜମ୍ମୁକାଶ୍ମୀର ଗସ୍ତ କରିବେ ବିରୋଧୀ ଦଳଙ୍କ ପ୍ରତିନିଧି ମଣ୍ଡଳ : ରାହୁଲଙ୍କ ସମେତ ୧୦ଟି ଦଳର ନେତା ହେବେ ସାମିଲ

339

କନକ ବ୍ୟୁରୋ : ଆଜି ଜମ୍ମୁ ଓ କାଶ୍ମୀର ଗସ୍ତ କରିବେ ବିରୋଧୀ ଦଳଙ୍କ ଏକ ପ୍ରତିନିଧି ମଣ୍ଡଳ । ଏମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି । ସିପିଆଇ, ସିପିଆଇଏମ୍, ଏନସିପି, ଟିଏମସି ଓ ଡିଏମକେ ପରି ପ୍ରାୟ ୧୦ଟି ବିରୋଧୀ ଦଳର ନେତା ଜମ୍ମୁ ଓ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୩୭୦ ଧାରା ଉଚ୍ଛେଦ ପରେ ରାହୁଲ ପ୍ରଥମ କରି ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଉଛନ୍ତି । ସେପଟେ ରାହୁଲଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଖବର ପରେ ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବର୍ତ୍ତମାନ ସମୟରେ ରାଜନୈତିକ ଦଳ ନେତାମାନେ ସେଠାକୁ ଗସ୍ତ ନକରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଚାଲିଥିବା ଉଦ୍ୟମରେ ଏହା ବାଧା ସୃଷ୍ଟି କରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ କଡ଼ା ପ୍ରତିବନ୍ଧକ ଲଗାଯାଇଛି । ସେବେଠାରୁ କୌଣସି ରାଜନୈତିକ ଦଳର ନେତାଙ୍କୁ ଜମ୍ମୁ ଓ କାଶ୍ମୀରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଦୁଇ ଦୁଇ ଥର ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା । ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲା ମଧ୍ୟ ଗୃହବନ୍ଦୀ ଅଛନ୍ତି ।