‘ମୋ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ…’ । ଚିଠି ଲେଖି ମନର କଥା କହିଲେ ରାହୁଲ ଗାନ୍ଧୀ ।

128

କନକ ବ୍ୟୁରୋ: କଂଗ୍ରେସ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାର ୩୫ ଶହ କିଲୋମିଟର ପାର୍ କରିସାରିଲେଣି । ବର୍ତ୍ତମାନ ଭାରତ ଯୋଡ ଯାତ୍ରା ପଞ୍ଜାବରେ ଥିବାବେଳେ, ରାହୁଲ ଗାନ୍ଧୀ ଗୋଟିଏ ପତ୍ର ଲେଖି ନିଜ ଅନୁଭୂତି ବାଣ୍ଟିଛନ୍ତି । ଖାଲି ସେତିକି ନୁହେଁ, ଏଥିସହିତ ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ଲକ୍ଷ୍ୟ କଣ ସେନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଲେଖିିଛନ୍ତି ଯେ, ଭାରତ ଯୋଡ ଯାତ୍ରା ତାଙ୍କୁ ଶିଖାଇଛି, ତାଙ୍କ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ଅଛି । ଦୁର୍ବଳ ଲୋକଙ୍କ ପାଇଁ ହକର ଲଢେଇ ଲଢିବା ଏବଂ ଯେଉଁମାନଙ୍କର ସ୍ୱରକୁ ଚପାଇ ଦିଆଯାଉଛି ସେମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଜୀବନର ଲକ୍ଷ୍ୟ ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ୱପ୍ନ ହେଉଛି ଆମ ଦେଶକୁ ଅନ୍ଧାରରୁ ଆଲୋକକୁ, ଘୃଣାରୁ ପ୍ରେମ ଆଡକୁ ଏବଂ ନିରାଶରୁ ଆଶା ଆଡକୁ ଆଣିବା । ଏହି ଲକ୍ଷ୍ୟ ପାଇବାକୁ ସେ ମହାପୁରୁଷମାନଙ୍କ ସିଦ୍ଧାନ୍ତ ଓ ମୂଲ୍ୟବୋଧକୁ ନିଜର ଆଦର୍ଶ ବନେଇ ଆଗକୁ ବଢିବେ ବୋଲି କହିଛନ୍ତି । ଭାରତ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ମହଙ୍ଗା ଦର ମଧ୍ୟ ଆକାଶ ଛୁଆଁ ରହିଛି । ଗୋଟିଏ ଜାତିକୁ ଅନ୍ୟ ଜାତି ସହ ଲଢାଇ ଦିଆଯାଉଛି ବୋଲି ରାହୁଲ କହିଛନ୍ତି ।

ରାହୁଲ ଗାନ୍ଧୀ ନିଜର ଏହି ଚିଠିରେ ଲେଖିଛନ୍ତି ଯେ, ସଡକରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସେ ଏହି ଖରାପ କଥାକୁ ନେଇ ଲଢେଇ କରିବେ । ସେ ଏମିତି ଏକ ଭାରତ ବନେଇବା ପାଇଁ ସଂକଳ୍ପ କରିଛନ୍ତି, ଯେଉଁଥିରେ ପ୍ରତିଟି ଭାରତୀୟ ସାମାଜିକ ସୁବିଧାସୁଯୋଗ ଓ ଆର୍ଥିକ ଭାବେ ସମୃଦ୍ଧ ଥିବ । ଚାଷୀମାନଙ୍କୁ ସେମାନଙ୍କର ଚାଷର ଠିକ୍ ଦାମ ମିଳୁଥିବ, ଯୁବକଙ୍କୁ ରୋଜଗାର ମିଳୁଥିବ । ତା ସହିତ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ମଜଭୁତ୍ ହେବ ଏବଂ ଗ୍ୟାସ ସିଲିଣ୍ଡରର ଦାମ ୫ଶହ ଟଙ୍କାରୁ କମ ହେବ ବୋଲି ରାହୁଲ କହିଛନ୍ତି ।