କନକ ବ୍ୟୁରୋ : ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ଲୋକ ସମସ୍ୟା ଶୁଣିବା ପାଇଁ କଂଗ୍ରେସର ‘ଭାରତ ଯୋଡ଼’ ଯାତ୍ରା । ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଦ୍ୱିତୀୟ ଦିନରେ ସାମିଲ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସହ କିଛି ବରିଷ୍ଠ ନେତା ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି । ‘ଭାରତ ଯୋଡ଼’ ଯାତ୍ରା ମାଧ୍ୟମରେ ତାମିଲନାଡୁର କନ୍ୟା କୁମାରୀରୁ କଶ୍ମୀର ଯାଏଁ ଦୀର୍ଘ ସମୟର ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଦୂରତା ଅତିକ୍ରମ କରିବାକୁ ତାଙ୍କୁ ୧୫୦ ଦିନ ଲାଗିବ । ପଦଯାତ୍ରାରେ ସାମିଲ ହୋଇ କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି ରାହୁଲ୍ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ନୀତିକୁ ଘୋର ବିରୋଧ କରିଛନ୍ତି ରାହୁଲ ।

Advertisment

କ’ଣ କହିଲେ ରାହୁଲ ଗାନ୍ଧୀ?
- ସବୁଠାରୁ ବଡ଼ ଆର୍ଥିକ ସଂକଟ ଦେଇ ଗତି କରୁଛି ଭାରତ
- ଚାଷୀ, ଶ୍ରମିକ ଓ ଛୋଟ-ମଧ୍ୟବର୍ଗୀୟ ବ୍ୟବସାୟୀଙ୍କ ଉପରେ ବୋଝ ଲଦାଯାଉଛି
- ଲୋକଙ୍କ ବାକ୍ ସ୍ୱାଧୀନତାକୁ ରୋକା ଯାଉଛି
- ପ୍ରତିଟି ଅନୁଷ୍ଠାନ ଉପରେ ବିଜେପି-ଆରଏସଏସର ଦବଦବା
- ଦେଶକୁ ନିୟନ୍ତ୍ରଣ କରୁଛନ୍ତି କିଛି ଶିଳ୍ପପତି
- ଉଦ୍ୟୋଗପତିଙ୍କୁ ସହାୟତା ଲାଗି ହୋଇଛି ଜିଏସଟି, ବିମୁଦ୍ରୀକରଣ. କୃଷକ ଆଇନ୍
- ତ୍ରିରଙ୍ଗାର କରାଯାଉଛି ଅପମାନ

ବଡ଼କଥା ହେଉଛି ଏହି ଯାତ୍ରା ସମୟରେ ରାହୁଲ କୌଣସି ହୋଟେଲ କିମ୍ବା ପାର୍ଟି ଅଫିସ୍ରେ ରହିବେ ନାହିଁ । ରାହୁଲ ରହିବେ ଏକ କଂଟେନରରେ । ସାଧାରଣ କଂଟେନରରୁ ଏହା ସମ୍ପୂର୍ଣର୍ ଭିନ୍ନ । ଏହାକୁ ଘର ଭଳି ନିର୍ମାଣ କରାଯାଇଛି । ଯେଉଁଥିରେ ସମସ୍ତ ପ୍ରକାରର ସୁବିଧାମାନ ରହିଛି । ଘରେ ଯେଉଁଭଳି ଗଦି, ଟଏଲେଟ ଓ ଏସି ଭଳି ସୁବିଧା ରହିଛ ଏହି କଟେଂନରରେ ମଧ୍ୟ ସମସ୍ତ ସୁବିଧା ରହିଛି । ରାହୁଲଙ୍କ ସହ ପଦଯାତ୍ରା କରୁଥିବା ପାଖାପାଖି ୩୦୦ ଲୋକେ ମଧ୍ୟ ଏହି କଂଟନରରେ ରହପାରିିବେ । ସମସ୍ତଙ୍କ ପାଇଁ ପ୍ରାୟ ୬୦ଟି କଂଟେନର ପ୍ରସ୍ତୁତ ହୋଇଛି । ପ୍ରତି କଂଟେନରରେ ପାଖାପାଖି ୧୨ ଜଣ ଲୋକ ରହିପାରିବେ ।

ସେପଟେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ନେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛି ବିଜେପି । ଦଳ କହିଛି, ଯେଉଁ ବ୍ୟକ୍ତି ନିଜ ପାର୍ଟିକୁ ଯୋଡ଼ି ପାରୁନାହାନ୍ତି, ସେ ଦେଶ ଯୋଡ଼ିବା କଥା କହୁଛନ୍ତି । ଏହା ଅତ୍ୟନ୍ତ ହାସ୍ପ୍ୟାସ୍ପଦ । ତା’ଛଡ଼ା କଂଗ୍ରେସର ଆନ୍ଦୋଳନ ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେପି ।

ଅସୁସ୍ଥତା କାରଣରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଯାତ୍ରାରେ ସାମିଲ୍ ହୋଇପାରିନାହାନ୍ତି । କିନ୍ତୁ ସେ ତାଙ୍କ ବାର୍ତା ଦ୍ୱାରା କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବାକୁ ପ୍ରୟାସ କରିଛନ୍ତି । କହିଛନ୍ତି, ଭାରତ ଯୋଡ଼ ଆନ୍ଦୋଳନ କଂଗ୍ରେସ ପାଇଁ ଐତିହାସିକ କ୍ଷଣ । ଏବେ ପରିବର୍ତନର ସମୟ ଆସିଯାଇଛି । ସୋନିଆଙ୍କ ଏହି ବାର୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଆତ୍ମବିଶ୍ୱାସ ବଢ଼ାଇବ ବୋଲି କୁହାଯାଉଛି ।