ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣି ରାହୁଲ ଗାନ୍ଧୀଙ୍କୁ ଜେରା। ସତ୍ୟାଗ୍ରହ କରି କେନ୍ଦ୍ର ବିରୋଧରେ କଂଗ୍ରେସ ଦେଲା ରଣହୁଙ୍କାର।

74

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ଠକେଇ ମାମଲାରେ ସୋମବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚତୁର୍ଥଥର ପାଇଁ ଜେରାର ସମ୍ମୁଖୀନ ହୋଇଛନ୍ତି ରାହୁଲ । ଗୋଟେପଟେ ଇଡି କାର୍ଯ୍ୟାଳୟରେ ରାହୁଲଙ୍କୁ ଜେରା ଚାଲିଥିବାବେଳେ ଅନ୍ୟପଟେ ଦିଲ୍ଲୀର ଜନ୍ତରମନ୍ତରରେ ବିଶାଳ ସତ୍ୟାଗ୍ରହ କରିଛି ଦଳ । କଂଗ୍ରେସର ବହୁ ବରିଷ୍ଠ ନେତା ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଭରିଛନ୍ତି ।

ଦିଲ୍ଲୀ ଇଡି କାର୍ଯ୍ୟାଳୟ ବାହାରେ ବରିଷ୍ଠ କଂଗ୍ରେସ ନେତା ଏକାଠି ପ୍ରତିବାଦ କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏକାଠି ଇଡି କାର୍ଯ୍ୟାଳୟ ବାହାରେ ସତ୍ୟାଗ୍ରହ କରିଛନ୍ତି । ମାଳ ମାଳ କଂଗ୍ରେସ ନେତା ଜନ୍ତରମନ୍ତରରେ ଡେରା ପକାଇ ସତ୍ୟାଗ୍ରହ କରିଛନ୍ତି । କେନ୍ଦ୍ର ସରକାର ସରକାରୀ ତଦନ୍ତାକାରୀ ସଂସ୍ଥାର ଦୁରୁପଯୋଗ କରି କଂଗ୍ରେସର ଛବି ଖରାପ କରୁଥିବା ଦଳ ଅଭିଯୋଗ କରିଛି ।

ଗୋଟେ ପଟେ ଇଡିର ଜେରାକୁ କଂଗ୍ରେସ ବିରୋଧ ଅନ୍ୟପଟେ ବିଜେପି କହିଛି ଏହି ଦେଶରେ କେହି ରାଣୀ କି ଯୁବରାଜ ନୁହଁନ୍ତି ସେମାନଙ୍କ ବିରୋଧରେ ତଦନ୍ତ କରାଯିବ । ନ୍ୟାସନାଲ ହେରାଲ୍ଡ ଜରିଆରେ ହୋଇଥିବା ଦେଶର ଅର୍ଥ ଅପବ୍ୟବହାରରେ ରାହୁଲ ଗାନ୍ଧୀଙ୍କ ସମ୍ପୃକ୍ତି ସମସ୍ତେ ଜାଣନ୍ତି । ତେଣୁ ଦୁର୍ନୀତି ଯିଏ କରିବ ତା ବିରୋଧରେ ତଦନ୍ତ ନିଶ୍ଚୟ ହେବ ।

ରାହୁଲଙ୍କୁ ଇଡିର ଜେରାକୁ ବିରୋଧ ସହ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ମଧ୍ୟ କଂଗ୍ରେସ ସତ୍ୟାଗ୍ରହ କରିଛି । ସରକାରଙ୍କ ଏହି ଯୋଜନା ସେନା ଓ ଯବାନଙ୍କ ପ୍ରତି ଅପମାନ ଓ ଏହା ଦେଶର ଯୁବପିଢିଙ୍କ ଭବିଷ୍ୟତକୁ ଅନ୍ଧାର ଭିତରୁକୁ ଠେଲି ଦେବ । ତେଣୁ ତୁରନ୍ତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି କଂଗ୍ରେସ ।

ରାହୁଲଙ୍କ ଇଡି ଜେରା ଓ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା । ଏହି ଦୁଇଟି ପ୍ରସଙ୍ଗକୁ ନେଇ କଂଗ୍ରେସ ମୋର୍ଚ୍ଚା ଖୋଲିଛି । ଏହା ଭିତରେ ସତ୍ୟାଗ୍ରହ କରି ଦଳ ସୂଚନା ଦେଇଛି କି ପାଦେ ପାଦେ ବିଜେପିକୁ ଘେରିବା ପାଇଁ ରଣନୀତି ସହ ସବୁବେଳେ ପ୍ରସ୍ତୁତ ରହିଛି ।