ବିଜେପି ଓ ବିଜେଡି ନେତାଙ୍କ ବିରୋଧରେ ଚାର୍ଜସିଟ ପାଇଁ କଂଗ୍ରେସର ରଣନୀତି ! ଅଗଷ୍ଟରେ ରାହୁଲଙ୍କ ଗସ୍ତ ପୂର୍ବରୁ ପିସିସିକୁ ଟାସ୍କ ଦେଲା ଏଆଇସିସି ।

15

କନକ ବ୍ୟୁରୋ : ବିଜେଡି ଓ ବିଜେପି ବିଧାୟକ ଓ ସାଂସଦଙ୍କ ବିରୋଧରେ ଚାର୍ଜସିଟ୍ କରିବାକୁ ଯାଉଛି ରାଜ୍ୟ କଂଗ୍ରେସ । ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ଚାଲିଛି ତିନି ଦିନିଆ ମାନସମନ୍ଥନ । ୨୦୧୯ ରଣନୀତି ପାଇଁ ଅଗଷ୍ଟ ମାସରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଏହା ପୂର୍ବରୁ ଏଆଇସିସି ରାଜ୍ୟ କଂଗ୍ରେସକୁ ଯେଉଁ ଟାସ୍କ ଦେଇଛି, ତାକୁ ପୂରଣ କରିବାକୁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । ଜୁଲାଇ ୧୫ ସୁଦ୍ଧା ଏ ନେଇ ରାହୁଲଙ୍କୁ ଯେଉଁ ରିପୋର୍ଟ ଦେବାର ଥିଲା, ଆଜି ଶେଷ ଦିନରେ ଦାଖଲ କରିଛି ପିସିସି ।

ବିଜେଡି ଓ ବିଜେପି ବିଧାୟକ ଓ ସାଂସଦଙ୍କ ବିରୋଧରେ ଚାର୍ଜସିଟ୍ କରିବ କଂଗ୍ରେସ । ଅର୍ଥାତ ଯେଉଁ ନେତା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ପ୍ରତାରଣା କରିଥିବେ ସେମାନଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେଉଁ ରିପୋର୍ଟ ମାଗିଥିଲେ, ତାହା ଦାଖଲ କରିଛି ପିସିସି । ତୃଣମୂଳ ସ୍ତରରେ କିପରି ଦଳ ମଜବୁତ ହେବ, ଲୋକଙ୍କ ସମସ୍ୟା ଚିହ୍ନଟ କରି ପ୍ରତିପକ୍ଷ ବିଜେଡି ଓ ବିଜେପିକୁ କିପରି ଟକ୍କର ଦେବ, ସେଥିପାଇଁ ଏଆଇସିସି ଦେଇଥିବା ଟାସ୍କ ଉପରେ କାମ ଆରମ୍ଭ କରିଛି ପିସିସି ।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଚଳଚଂଚଳ ହୋଇଉଠୁଛି ରାଜ୍ୟ କଂଗ୍ରେସ ଶିବିର । ବିଶେଷ କରି ଅଗଷ୍ଟ ମାସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବା ପୂର୍ବରୁ ଯେଉଁ ଟାସ୍କ ଦିଆଯାଇଛି, ତାକୁ ପୂରଣ କରିବାକୁ ପୂରା ଦମ୍ ଲଗାଇ ଦେଇଛି ପିସିସି । ୨୧ଟି ସଂସଦୀୟ କ୍ଷେତ୍ରରେ କେଉଁ ନେତା କଂଗ୍ରେସକୁ ଜିତାଇପାରିବ, କିଏ କିଙ୍ଗ ମେକର ଭୂମିକା ତୁଲାଇ ପାରିବ, ସେ ନେଇ ଏଆଇସିସି ପ୍ରଭାରୀଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତିନି ଦିନିଆ ମାନସ ମନ୍ଥନ ପରେ ଏ ନେଇ ପ୍ରସ୍ତୁତ ହେବ ତାଲିକା । ଏଥିରେ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ ସମେତ ଏଆଇସିସି ସଂପାଦକ, ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ସାମିଲ ହୋଇଥିଲେ । ଗାଁ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଦଳର ସଂଗଠନକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛି ଏଆଇସିସି । ଏହାସହ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଯାଉଛି କଂଗ୍ରେସ ।

ନଜର ପକାନ୍ତୁ ରାଜ୍ୟ କଂଗ୍ରେସକୁ କି କି ଟାସ୍କ ଦେଇଛନ୍ତି ରାହୁଲ ଗାନ୍ଧୀ :

କିଏ ହେବ ଗାଁର ନେତା?

ଆମ ଗାଁ ଆମ ନେତା କାର୍ଯ୍ୟକ୍ରମ ଜରିଆରେ ବାଛିବେ ପିସିସି ସଭାପତି

ଆଂଚଳିକ ପ୍ରସଙ୍ଗ ଓ ନେତାଙ୍କୁ ନେଇ ପ୍ରସ୍ତୁତ ହେବ ମାନିଫେଷ୍ଟୋ

ବିଜେଡି ଓ ବିଜେପି ଏମଏଲଏ ଓ ଏମପିଙ୍କ ବିରୋଧରେ ତିଆରି ହେବ ଚାର୍ଜସିଟ୍

୩୦ ଜିଲ୍ଲାରେ ନିଯୁକ୍ତ ହେବେ ୩୦ ନେତା

ଲୋକଙ୍କ ସମସ୍ୟାର ଚିହ୍ନଟ କରି ତାକୁ ପ୍ରସଙ୍ଗ କରିବ କଂଗ୍ରେସ

କେଉଁ ସିଟରେ ବିଜୟ ଆଶା ଅଧିକ ଚିହ୍ନଟ କରାଯିବ

ମହିଳା ଭୋଟରଙ୍କୁ ଆକୃଷ୍ଟ ପାଇଁ ‘ପ୍ରୋଜେକ୍ଟ ଶକ୍ତି’ ବନାଯିବ

ଏନଜିଓ କର୍ମୀ, ମହିଳା କର୍ମୀଙ୍କୁ ଦଳରେ ସାମିଲ କରିବ କଂଗ୍ରେସ

ନୂଆ ନେତା ଓ ନୂଆ ରଣନୀତି ପ୍ରସ୍ତୁତ କରି ପୁଣି ଥରେ ଲୋକଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରୁଛି ରାଜ୍ୟ କଂଗ୍ରେସ । ଅଗଷ୍ଟ ମାସରେ ରାହୁଲ ଗାନ୍ଧୀ ଗସ୍ତ ସମୟରେ ପଞ୍ଚାୟତ ସ୍ତରର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।