କନକ ବ୍ୟୁରୋ : ଗାନ୍ଧୀ ପରିବାର ନାଁ କହିଲେ ସାରା ବିଶ୍ୱର ଲୋକ ଜାଣିଥାନ୍ତି । ମୋତିଲାଲ ନେହରୁ ଠାରୁ ପୁଣି ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଭାରତୀୟ ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ । ସ୍ୱାଧୀନତା ସଂଗ୍ରାମ ଠାରୁ ଦେଶକୁ ଶାସନ କରିବାରେ ଗାନ୍ଧୀ ପରିବାରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜବାହରଲାଲ ନେହରୁ ଇନ୍ଦୀରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି   । ସେପଟେ ଦେଶ ରାଜନୀତିରେ ଗାନ୍ଧୀ ପରିବାରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ତେବେ ଗୋଟିଏ ପରିବାରର ୨ ଜଣ ପ୍ରଧାନମନ୍ତ୍ରୀ । ଦେଶର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସର ମଙ୍ଗ ଗାନ୍ଧୀ ପରିବାର ହାତରେ । ମୋତିଲାଲ ନେହେରୁ ଯେଭଳି ଭାବେ ସମ୍ଭ୍ରାନ୍ତ ଜୀବନ ଯାପନ କରୁଥିଲେ ସେ ନିଜ ପରିବାର ପାଇଁ କାହିଁକି ଗଢିନଥିଲେ ଘର । ଏସବୁ କଥା ଏବେ କାହିଁକି ପ୍ରଶ୍ନ ଉଠିଲା । ଗାନ୍ଧୀ ପରିବାର ତେବେ ଏତେଦିନ ଧରି ରହୁଥିଲେ କେଉଁଠି । ତାହା ଦେଶବାସୀ ଜାଣିବା ନିହାତି ଦରକାର ।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ସାଂସଦ ନାହାଁନ୍ତି । ସାଂସଦ ଥିବା ବେଳେ ତାଙ୍କୁ ମିଳିଥିବା ସରକାରୀ ଘର ଏବେ ତାଙ୍କ ଠାରୁ ଫେରାଇ ନିଆଯାଇଛି । ସରକାରୀ ବଙ୍ଗଳା ହାତରୁ ଯିବା ପରେ ଏବେ ରାହୁଲ ଗାନ୍ଧୀ ବେଘର ହୋଇଯାଇଛନ୍ତି । ଏବେ ସେ ମା’ସୋନିଆ ଗାନ୍ଧୀ କିମ୍ବା ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ରହିବେ ବୋଲି ଅନୁମାନ କରାଯାଉଛି । ଥରେ ଭାବିଲେ ଯେଉଁ ଗାନ୍ଧୀ ପରିବାର ପାଖରେ ଦିନେ କୋଠା ନୁହେଁ ବରଂ ବଙ୍ଗଳା ଥିଲା ସେହି ପରିବାରର ପୁଅ ରାହୁଲ ଗାନ୍ଧୀଙ୍କ ପାଖରେ କାହିଁକି ନାହିଁ ନିଜର ଘର ? ପୂର୍ବରୁ ଗାନ୍ଧୀ ପରିବାର ନିକଟରେ ଥିବା ଘର କୁଆଡେ ଗଲା ? ଏନେଇ କିଛିଦିନ ତଳେ ରାଜସ୍ଥାନରେ ହୋଇଥିବା ଅଧିବେଶନରେ ରାହୁଲ ଗାନ୍ଧୀ କହିଥିଲେ କି ତାଙ୍କ ପାଖରେ ରହିବା ପାଇଁ ନିଜର ଘର ନାହିଁ । ବାସ୍ତବରେ ଏହା କଣ ସତ୍ୟ ?

ବାସ୍ତବରେ ଗାନ୍ଧୀ ପରିବାରର ମୂଳ ଘର ହେଉଛି କାଶ୍ମୀରରେ । ସେ କାଶ୍ମୀରର ଏକ ବ୍ରାହ୍ମଣ ପରିବାରରୁ ଆସିଛନ୍ତି । ସେମାନଙ୍କ ପରିବାର ମୂଳରୁ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ଅଛନ୍ତି । ଏହି କ୍ରମରେ ମୋତିଲାଲ ନେହରୁ ୧୯ଶହ ମସିହାରେ ଆହ୍ଲାବାଦରେ ୧୯ ହଜାର ଟଙ୍କା ଦେଇ ଏକ ଘର କିଣିଥିଲେ । ଏହି ଘରର ନାମ ଆନନ୍ଦ ଭବନ ଦିଆଯାଇଥିଲା । ହେଲେ ୧୯୩୦ ମସିହାରେ ମୋତିଲାଲ ନେହରୁ ଆଉ ଏକ ଘର କରିବା ପରେ ପୁରୁଣା ଘରର ନାମ ଆନନ୍ଦ ଭବନରୁ ବଦଳାଇ ସ୍ୱରାଜ ଭବନ କରାଯାଇଥିଲା । ଏହି ଘର ମୋତିଲାଲ ନେହେରୁଙ୍କ କାମ ଅପେକ୍ଷା କଂଗ୍ରେସ କାମରେ ଅଧିକ ଲାଗିଥିଲା । କିଛିବର୍ଷ ପରେ ମୋତିଲାଲ ନେହେରୁ ଏହି ଘରକୁ ଦେଶ ଉର୍ଦ୍ଦେଶ୍ୟରେ ସମର୍ପିତ କରିଦେଇଥିଲେ । ଏହାପରେ ଗାନ୍ଧୀ ପରିବାର ମୋତିଲାଲଙ୍କ ଦ୍ୱାରା ନିର୍ମିତ ନୂଆ ଘରକୁ ପଳାଇ ଆସିଥିଲେ । ଏଠାରେ ବି ସମାନ ପରିସ୍ଥିତି । ଏହି ଘର ବିଶେଷ ଭାବେ କଂଗ୍ରେସ କାର୍ଯ୍ୟାଳୟ ଭାବେ ବ୍ୟବହାର ହେଉଥିଲା ।

ସ୍ୱାଧୀନତା ପରେ ଯେତେବେଳେ ଜବାହରଲାଲ ନେହରୁ ଦିଲ୍ଲୀ ପଳାଇ ଆସିଥିଲେ । ଏହାପରେ କଂଗ୍ରେସର ନୂଆ ମୁଖ୍ୟ କାର୍ଯ୍ୟାଳୟ ଜନ୍ତର-ମନ୍ତର ରୋଡ ହୋଇଯାଇଥିଲା । ଏହାପରେ ନେହେରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ତାଙ୍କୁ ସରକାରୀ ବାସଭବନ ମିଳିଯାଇଥିଲା । ନେହେରୁଙ୍କ ମୃତ୍ୟୁ ପରେ ଏହି ଘରକୁ ସ୍ମାରକ କରିଦିଆଯାଇଥିଲା । ସେପଟେ ୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଆହ୍ଲାବାଦର ଆନନ୍ଦ ଭବନକୁ ଦେଶ ଉର୍ଦ୍ଦେଶ୍ୟରେ ସମର୍ପିତ କରିଦିଆଗଲା । ତେଣୁ ଗାନ୍ଧୀ ପରିବାର ପାଖରେ ନିଜର ଘର ରହିଲା ନାହିଁ । କେବଳ ମୋତିଲାଲଙ୍କ ବ୍ୟତୀତ ନା ଇନ୍ଦିରା ନା ଜବାହରଲାଲ ନେହେରୁ କେହି ବି ନିଜ ପରିବାର ପାଇଁ ଘର କିଣି ନଥିଲେ ।

ଏହାପରେ ରାଜନୀତିକୁ ଆସିଲେ ରାଜୀବ ଗାନ୍ଧୀ । ରାଜୀବ ଗାନ୍ଧୀଙ୍କ ପରେ ପର୍ଯ୍ୟାୟକ୍ରମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରେ ବସିଲେ । ହେଲେ ସେମାନେ ବି ନିଜ ପରିବାର ପାଇଁ ଘର କିଣି ନଥିଲେ । ଏଣୁ ଏହି କାରଣରୁ ଏବେ ପ୍ରଶ୍ନ ଉଠୁଛି କି ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀ ରହିବେ କେଉଁଠି ?

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି କିଛିଦିନ ତଳେ ଇଶାରାରେ ନିଜର ରାଜନୈତିକ ଜୀବନକୁ ନେଇ ବହୁତ କିଛି କହିଛନ୍ତି । ଅନୁମାନ କରାଯାଉଛି କି, ଆଗାମୀ ଦିନରେ ସୋନିଆ ଗାନ୍ଧୀ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇପାରନ୍ତି । ଏହାପରେ ତାଙ୍କ ନିକଟରେ ମଧ୍ୟ କୌଣସି ସରକାରୀ ଘର ରହିବ ନାହିଁ । ତେଣୁ ରାହୁଲ ଗାନ୍ଧୀ ରହିବେ କେଉଁଠି ?