ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ । ଟ୍ରାକ୍ଟର ଚଳାଇ ସଂସଦ ପହଂଚିଲେ ରାହୁଲ ଗାନ୍ଧୀ

198

କନକ ବ୍ୟୁରୋ : ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁଖ୍ୟତ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀ ଏଭଳି କରିଛନ୍ତି ।

କହିରଖୁ କି ଉଭୟ ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ସପ୍ତାହ । ଆଜି ବି ସଂସଦର ଉଭୟ ସଦନରେ ପେଗାସସ୍ ଓ କୃଷି କାନୁନକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ରାକ୍ଟର ଚଳାଇ ସଂସଦରେ ପହଂଚିଛନ୍ତି । ତାଙ୍କ ସହିତ କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ବି ସାମିଲ ଥିଲେ । ରାହୁଲ ଗାନ୍ଧୀ ଯେଉଁ ଟ୍ରାକ୍ଟର ଚଳାଇ ସଂସଦ ଆସୁଥିଲେ ସେଥିରେ କୃଷି ଆଇନ ବିରୋଧୀ ପୋଷ୍ଟର ଲଗାଯାଇଥିଲା ।

ସୂଚନା ଥାଉକି ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ପାଖା ପାଖି ୮ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହା ସହ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଜନ୍ତର-ମନ୍ତର ଠାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ‘କିଷାନ ସଂସଦ’ ଆରମ୍ଭ ହୋଇଛି । ଏଥିରେ ଦୈନିକ ୨୦୦ କୃଷକ ପ୍ରତିନିଧି ଯୋଗ ଦେଇ କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଛନ୍ତି ।