ମହାମାରୀକୁ ଦୃଷ୍ଟିରେ ରଖି କୋଲକାତା ଗସ୍ତକୁ ବାତିଲ କଲେ ରାହୁଲ ଗାନ୍ଧୀ  । ସଭା ନକରିବାକୁ ଅନ୍ୟଦଳ ମାନଙ୍କୁ ବି କଲେ ଅନୁରୋଧ

212

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ଅଧାରୁ ଦଳର ମଙ୍ଗ ଧରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କର କୋଲକତାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଜଣାଇବା ସହ ସେ ତାଙ୍କ ଟ୍ୱିଟରେ ଅନ୍ୟ ରାଜନୈତିକ ଦଳର ନେତା ମାନଙ୍କୁ ସଭା ସମିତି ନକରିବାକୁ ଅନୁରୋଧ କରିଛନ୍ତି ।

କହିରଖୁ କି ପଶ୍ଚିମବଙ୍ଗରେ ହେବାକୁ ଥିବା ୮ ଟି ପର୍ଯ୍ୟାୟ ମତଦାନରୁ ଗତକାଲି ସୁଦ୍ଧା ୫ ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ହେଲେ ରାହୁଲ ଗାନ୍ଧୀ ୪ ଟି ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ନିର୍ବାଚନୀ ସଭା କରିନଥିବା ବେଳେ କେବଳ ପଞ୍ଚମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ କଂଗ୍ରେସର ମଙ୍ଗ ଧରିଥିଲେ । ହେଲେ ଏବେ ଦେଶରେ ଯେଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି ତାହାକୁ ନଜରରେ ରଖି ସେ ଆଉ ପଶ୍ଚିମବଙ୍ଗରେ କୌଣସି ସଭାରେ  ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଅନ୍ୟପଟେ ପଶ୍ଚିମବଙ୍ଗ ହାଇକୋର୍ଟ ନିର୍ବାଚନୀ ରାଲି ଓ ସଭାକୁ ନେଇ କଟକଣା ଲଗାଇବା ପରେ ରାଜ୍ୟରେ ବାମଦଳ ଆଉ ରାଲି କି ସଭା କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲା । ହେଲେ ବିଜେପି ଓ ଟିଏମସି ଏବେ ବି ବିରାଟ ବିରାଟ ରାଲି କରିବାରେ ଲାଗିଛନ୍ତି । ଏହି ରାଲି ମାନଙ୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ନେତୃତ୍ୱ ନେଉଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରାଲି ଓ ସଭା ସମିତି କରିବାରେ ଲାଗିଛନ୍ତି ।