କିମ୍ବଦନ୍ତୀ କ୍ରିକେଟରଙ୍କ କାହାଣୀ । ନିଜ ଡେବ୍ୟୁ ମ୍ୟାଚରେ ହିଁ ଚମକିଥିଲେ ଗାଙ୍ଗୁଲି-ଦ୍ରାବିଡ । ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ ଗାଙ୍ଗୁଲି ।

137

କନକ ବ୍ୟୁରୋ: ଯିଏ ନିଜ ଦକ୍ଷତା ବଳରେ ବଡ ବଡ ଟିମକୁ ପାଣି ପିଆଉଥିଲେ । ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆ ପାଇଁ ଏମାନେ ସୃଷ୍ଟି କରିଥିଲେ ଏକ ସ୍ୱତନ୍ତ୍ର ପରିଚୟ । ଦେଶ ହେଉ କି ବିଦେଶ ସବୁଠି ଟିମ ଇଣ୍ଡିଆକୁ ଚଖାଇଥିଲେ ବିଜୟର ସ୍ୱାଦ । ହଁ ଆଜ୍ଞା ଆମେ କହୁଛୁ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲି ଆଉ ରାହୁଲ ଦ୍ରାବିଡଙ୍କ କଥା । କାରଣ ଆଜିର ଦିନରେ ନିଜ ଟେଷ୍ଟ ଡେବ୍ୟୁରେ ଚମକିଥିଲେ ଏହି ଦୁଇ କ୍ରିକେଟର । ନିଜ କ୍ୟାରିୟରର ପ୍ରଥମ ଟେଷ୍ଟରେ ସୌରଭ ଗାଙ୍ଗୁଲି ଶତକ ହାସଲ କରିଥିବା ବେଳେ ରାହୁଲ ଦ୍ରାବିଡ ୯୫ ରନର ଅବିସ୍ମରଣୀୟ ଇଂନିସ ଖେଳିଥିଲେ ।

ନିଜ ଟେଷ୍ଟ ଡେବ୍ୟୁ ମ୍ୟାଚରେ ଏହି ଦୁଇ ଖେଳାଳି ଦେଖାଇଥିଲେ ନିର ପ୍ରଥମ ଝଲକ । ଆଉ ତାପରେ ଏହି ପରି ଅନେକ ମ୍ୟାଚରେ ଭାରତ ପାଇଁ ଅନେକ ରେକର୍ଡ ସୃଷ୍ଟି କରି ଚାଲିଥିଲେ । ପରବର୍ତ୍ତି ମୂହୁର୍ତ୍ତରେ ଜଣେ ଟିମ ଇଣ୍ଡିଆର ଅଧିନାୟକ ହୋଇଥିବା ବେଳେ ଆଉ ଜଣେ ‘ଦ ୱାଲ ଅଫ କ୍ରିକେଟ’ ନାଁରେ ପରିଚିତ ହୋଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଦୁଇ କିମ୍ବଦନ୍ତୀ କ୍ରିକେଟର ସେହି ଡେବ୍ୟୁ ମ୍ୟାଚ ବିଷୟରେ ।

୧୯୯୬ ମସିହା ଜୁନ ୨୦ ତାରିଖ । ସ୍ଥାନ ଇଂଲଣ୍ଡର ଲର୍ଡସ କ୍ରିକେଟ ଷ୍ଟାଡିୟମ । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥାଏ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ୧୩୦ ଓଭର ସୁଦ୍ଧା ଇଂଲଣ୍ଡ ଅଲଆଉଟ ହୋଇଯାଇଥିଲା । ଜ୍ୟାକ ରସେଲଙ୍କ ଶତକ ଓ ଗ୍ରାହମ ହିକଙ୍କ ୮୯ ରନ ବଳରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୩୪୪ ରନ କରି ନିଜ ସ୍ଥିତି ମଜବୁତ କରିଥିଲା ।

ଏହାପରେ ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ପ୍ରଥମ ଟେଷ୍ଟରେ ପରାଜୟ ପରେ ଏହି ଟେଷ୍ଟରେ ବିଜୟ ଲକ୍ଷ୍ୟରେ ଓହ୍ଲାଇଥିଲା ଭାରତ । ଆଉ ଦଳରେ ନୂଆ କରି ସାମିଲ ହୋଇଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କୁ ସୁଯୋଗ ମିଳିଥିଲା । ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ୱିକେଟରେ ଆସିଥିଲେ ସୌରଭ ଗାଙ୍ଗୁଲି । ହେଲେ ଭାରତର ଅନେକ ଦକ୍ଷ କ୍ରିକେଟର ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, ଅନିଲ କୁମ୍ବେଲଙ୍କ ଭଳି ବ୍ୟାଟ୍ସମ୍ୟାନ ଏହି ମ୍ୟାଚରେ ବିଫଳ ହୋଇଥିଲେ । ପରେ ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି ଚମତ୍କାର ବ୍ୟାଟିଂ କରିଥିଲେ ।

ସøରଭ ଗାଙ୍ଗୁଲି ନିଜ ଡେବ୍ୟୁ ମ୍ୟାଚରେ ୧୩୧ ରନର ଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ସେପଟେ ରାହୁଲ ଦ୍ରାବିଡ କିନ୍ତୁ ଶତକ ଠାରୁ ମାତ୍ର ୫ ରନ ଦୂରରେ ରହିଗଲେ । ସେ ଏହି ମ୍ୟାଚରେ ୯୫ ରନ କରିଥିଲେ । ଫଳରେ ଭାରତ ୪୨୯ ରନର ଏକ ବିଶାଳ ସ୍କୋର କରିଥିଲା ।

ପରେ ଇଂଲଣ୍ଡ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ଆଉ ୨୭୮ ରନ କରି ଏହି ମ୍ୟାଚକୁ ଡ୍ର କରି ଦେଇଥିଲେ । ଭାରତ ସିନା ଏହି ମ୍ୟାଚରେ ଜିତି ପାରିନଥିଲା । ହେଲେ ନିଜ ଡେବ୍ୟୁ ମ୍ୟାଚରେ ଗାଙ୍ଗୁଲି-ଦ୍ରାବିଡଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତି ନେଇଥିଲା ।