ରାହୁଲଙ୍କ ରଣହୁଙ୍କାର । କହିଲେ, ସାଂସଦ ନଥିଲେ ବି କରିବେ ସଂଘର୍ଷ । ଅଭ୍ୟାସଗତ ମିଛୁଆ କହି ବିଜେପିର ପାଲଟା ଆକ୍ରମଣ

181

କନକ ବ୍ୟୁରୋ: ଲୋକସଭା ସଭ୍ୟ ପଦ ଯିବା ପରେ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର । ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ୍ ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି, ଲୋକସଭା ସଦସ୍ୟତା ରଦ୍ଦ ପଛରେ ରହିଛି ଷଡଯନ୍ତ୍ର । ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଗଣତନ୍ତ୍ର ପାଇଁ ସେ ଲଢେଇ କରୁଛନ୍ତି ଏବଂ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । କେହି ଧମକାଇ ତାଙ୍କୁ ଚୁପ୍ କରିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି । ସେହିପରି ଆଦାନୀଙ୍କ ସହ ମୋଦିଙ୍କ କ’ଣ ସମ୍ପର୍କ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏପଟେ ରାହୁଲଙ୍କ ଆକ୍ରମଣର ଜବାବ୍ ରଖିଛନ୍ତିି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

  • ଆକ୍ରମଣ ମୁଦ୍ରାରେ ରାହୁଲ ଗାନ୍ଧୀ
  • ‘ଗଣତନ୍ତ୍ର ପାଇଁ ଜାରି ରହିବ ଲଢ଼େଇ’
  • ବିଜେପି ଦେଲା କଡ଼ା ଜବାବ

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ପରେ ସରଗରମ ହୋଇଉଠିଛି ଦେଶର ରାଜନୀତି । ସାଂସଦ ପଦରୁ ଅଯୋଗ୍ୟ ଘୋଷଣାର ଦିନକ ପରେ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି ରାହୁଲ । ଗୋଟିଏ ପଟେ ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ, ଅନ୍ୟପଟେ ପ୍ରେସମିଟ୍ କରି ସିଧା ପ୍ରଧାନମନ୍ତ୍ର୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ଆଦାନୀ ପ୍ରସଙ୍ଗ ଉଠାଇ କହିଛନ୍ତି, ପାର୍ଲାମେଣ୍ଟରେ ପୁଣିଥରେ ଏହି ପ୍ରସଙ୍ଗରେ କହିବା ପୂର୍ବରୁ ଭୟଭୀତ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ତାଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏଥିରେ ସେ ଡରିଯିବେନି କି ଚୁପ୍ ବସିବେନି ବୋଲି କହିଛନ୍ତି ରାହୁଲ ।

ରାହୁଲ ଅଭିଯୋଗ କରିଛନ୍ତି …

  • ଲୋକସଭା ସଦସ୍ୟତା ରଦ୍ଦ ପଛରେ ରହିଛି ଷଡଯନ୍ତ୍ର
  • ଗଣତନ୍ତ୍ର ପାଇଁ ସେ ଲଢେଇ ଜାରିରଖିବେ
  • ଭୁଲ ମାଗିବାର ପ୍ରଶ୍ନ ଉଠୁନାହିଁ
  • ଧମକାଇଲେ ସେ ଚୁପ୍ ହୋଇ ରହିବେନି
  • ଆଦାନୀ ସହ ସମ୍ପର୍କର ଜବାବ ଦେବାକୁ ହେବ
  • କମ୍ପାନୀରେ ଲାଗିଥିବା ୨୦ ହଜାର କୋଟି କାହାର?

ଏହିଭଳି ମାଳ ମାଳ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ରାହୁଲ । ରାହୁଲଙ୍କ ପ୍ରେସମିଟ୍ ସରୁ ସରୁ ଏହାକୁ କାଉଣ୍ଟର କରିଛି ବିଜେପି । ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, ଆଇନ ଅନୁସାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଖେଳୁଛନ୍ତି ଭିକ୍ଟିମ୍ କାର୍ଡ ।

ରବିଶଙ୍କରଙ୍କ ଜବାବ

  • ରାହୁଲ ଜଣେ ଅଭ୍ୟାସଗତ ମିଛୁଆ
  • ମୋଦୀ ସାଂଜ୍ଞାକୁ ତାତ୍ସଲ୍ୟ କରି ସେ ପଛୁଆ ବର୍ଗକୁ ଅପମାନିତ କରିଛନ୍ତି
  • ବିଦେଶରେ ମଧ୍ୟ ବାରମ୍ବାର ମିଛ କଥା କହି ଭାରତକୁ ବଦନାମ କରୁଛନ୍ତି
  • ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି
  • କୋର୍ଟ ଭୁଲ ମାଗିବାକୁ କହିଥିଲେ, ସେ ତାହା ମାନିନାହାନ୍ତି
  • ରହିତାଦେଶ ପାଇଁ ଉପରକୋର୍ଟକୁ ନଯାଇ ରାଜନୀତି କରୁଛନ୍ତି ରାହୁଲ

ସାଂସଦ ପଦରୁ ରାହୁଲ ଗାନ୍ଧୀ ଅଯୋଗ୍ୟ ଘୋଷଣା ପରେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ହଲ୍ଲାବୋଲ କରୁଛି । ବିରୋଧୀ ଦଳ ତୁଙ୍ଗ ନେତା ମଧ୍ୟ ମୋଦୀ ସରକାରଙ୍କୁ ଘେରିଛନ୍ତି ।