ରାହୁଲଙ୍କ ଆଖିମରାକୁ ନେଇ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ଚର୍ଚ୍ଚା । ନିଜ ଅନ୍ଦାଜରେ ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

32

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଉପରେ ଗତକାଲି ଘମାଘୋଟ ଆଲୋଚନା ହେଲା । ବିରୋଧୀ ଓ ଶାସକ ଦଳ ମଧ୍ୟରେ କଥା କଟାକଟି ଚାଲିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅତି ଆକ୍ରମଣାତ୍ମକ ଢଙ୍ଗରେ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଥିଲେ । ଆଉ ମୋଦି ମଧ୍ୟ ନିଜସ୍ୱ ଶୈଳୀରେ ଜବରଦସ୍ତ ଜବାବ ଦେଇଥିଲେ । ହେଲେ ୧୨ ଘଂଟାର ବିତର୍କ ଭିତରେ ରାହୁଲଙ୍କ ଆଖିମରା ଓ ମୋଦିଙ୍କୁ ଆଲିଙ୍ଗନର ଦୃଶ୍ୟ ସବୁ ଦିନ ପାଇଁ ମନେ ରହିବ ।

ଆଖିମିଟିକା ମାରି ରାତାରାତି ସେଲିବ୍ରେଟି ହୋଇଥିବା ପ୍ରିୟାପ୍ରକାଶଙ୍କ ଅନ୍ଦାଜକୁ ଯେମିତି ଭୁଲି ହେବନାହିଁ, ସେମିତି ଭୁଲି ହେବନାହିଁ ଅନାସ୍ଥା ଭାଷଣ ପରେ ରାହୁଲ ଗାନ୍ଧୀଙ୍କ ଆଖିମିଟିକା । କାହାକୁ ସେ ଆଖିରେ ଇଂଗିତ କଲେ, କ’ଣ ଏହାର ଉଦ୍ଦେଶ୍ୟ ଥିଲା, ସେ ନେଇ ଯେତିକି ଆଲୋଚନା ହେଉନାହିଁ, ତା’ଠାରୁ ଅଧିକ ଆଲୋଚନା ହେଉଛି ସଂସଦରେ ରାହୁଲଙ୍କ ଆଖିମରା ଅନ୍ଦାଜ । ଆଉ ଏହି ଆଖିମିଟିକାକୁ ନେଇ ଜବରଦସ୍ତ ଜବାବ ରଖିଥିଲେ ପ୍ରଧାନମନ୍ତ୍ରୀ ।

ଅନାସ୍ଥା ବିତର୍କ ବେଳେ ଆଖିକୁ ନେଇ ସରଗରମ ହୋଇ ଉଠିଥିଲା ସଂସଦ । ସରକାରଙ୍କୁ କଟୁ ସମାଲୋଚନା କରୁଥିବା ବେଳେ ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ରାଫେଲ ଦୁନୀତି ପ୍ରସଙ୍ଗ ଉଠାଉଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ଆଖିକୁ ଚାହିଁ ପାରୁନାହାନ୍ତି । ତେବେ ରାହୁଲଙ୍କ ଆକ୍ଷେପକୁ ନିଜସ୍ୱ ଶୈଳୀରେ କଟାକ୍ଷ କରିଥିଲେ ମୋଦି । କହିଥିଲେ, ରାହୁଳଙ୍କ ଆଖି ମାରିବା ଦୃଶ୍ୟକୁ ପୂରା ଦେଶବାସୀ ଦେଖୁଛନ୍ତି ।

ସଂସଦରେ ଅନାସ୍ଥା ବିତର୍କ ଯେତେବେଳେ ନାଟକୀୟ ମୋଡ ନେଇଥିଲା ସେତେବେଳେ ସାଂସଦଙ୍କୁ ପଦମର୍ଯ୍ୟାଦାର ପାଠ ପଢାଇଥିଲେ ବାଚସ୍ପତି ସୁମିତ୍ରା ମହାଜନ । ଆଖିମରା ଦୃଶ୍ୟର ଠିକ୍ ପୂର୍ବରୁ ରାହୁଲଙ୍କ ଆଚରଣ ଥିଲା ଚକିତ କଲା ଭଳି । ବିଜେପି ନେତାଙ୍କୁ ପ୍ରେମର ପରିଭାଷା ବୁଝାଇ ନିଜ ବକ୍ତବ୍ୟ ଶେଷ କରିବା ପରେ ସିଧା ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟକୁ ଚାଲି ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ । କେହି କିଛି ବୁଝିବା ପୂର୍ବରୁ କୁଣ୍ଢାଇ ପକାଇଥିଲେ ମୋଦିଙ୍କୁ । କେବଳ ସାଂସଦମାନଙ୍କୁ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହା ଦେଇଥିଲା ଝଟକା । ମୋଦି ମଧ୍ୟ ନିଜ ଅନ୍ଦାଜରେ ଦେଇଥିଲେ ଏହାର ଉତର । ରାହୁଲଙ୍କ ନାଁ ନ ନେଇ ମୋଦି କହିଥିଲେ, ତାଙ୍କ ଆସନରେ ବସିବାକୁ ଜଣେ ସାଂସଦ ଏତେ ବ୍ୟଗ୍ର ଯେ ଅନାସ୍ଥା ପ୍ରସ୍ତାବର ଫଳାଫଳ ଆସିବା ପୂର୍ବରୁ ତାଙ୍କୁ ଉଠିବାକୁ କହୁଛନ୍ତି ।

ସଂସଦରେ ରାହୁଲଙ୍କ ଆଲିଙ୍ଗନ ଓ ଆଖିମରା ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଜୁଆଲ ଭାଇରାଲ୍ ହେବାରେ ଲାଗିଛି । ତେବେ ନେତାଙ୍କ ଏହି ଆଖିର ଖେଳ ଭିତରେ ଲୋକଙ୍କ ସମସ୍ୟା ପ୍ରତି କିଏ ଆଖି ରଖୁଛି, ଆଉ କିଏ ଆଖିବୁଜି ଦେଉଛି, ତା ଉପରେ ରହିଛି ଦେଶବାସୀଙ୍କ ନଜର ।