ରାଗିଂର କରୁଣ କାହାଣୀ ବଖାଣିଲେ ଛାତ୍ର ! କନକ ନ୍ୟୁଜ୍ ହାତରେ ମୃତ୍ୟୁ ପୂର୍ବ ବୟାନର ଏକ୍ସକ୍ଲୁସିଭ୍ ଭିଡିଓ

31

କନକ ବ୍ୟୁରୋ :  ରାଗିଂ ନେଇଗଲା ଛାତ୍ରଙ୍କ ଜୀବନ । ଆନ୍ଧ୍ରପ୍ରଦେଶ ଭାଇଜାଗର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟରେ ଯୁକ୍ତ ଦୁଇରେ ପଢୁଥିବା ଜଣେ ଓଡିଆ ଛାତ୍ର ରାଗିଂର ଶିକାର ହେବା ପରେ ଗୁରୁତର ଅବସ୍ଥାରେ ଭର୍ତି ହୋଇଥିଲେ । ଆଜି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ଅଭିଯୋଗ ଅନୁସାରେ ସମ୍ବଲପୁର ବମରା ଅଂଚଳ ଗୋଡପୋଷ୍ଟର ଶୈଳେସ କେଶରୱାନୀଙ୍କ ପୁଅ ଶ୍ରେୟସଙ୍କୁ ସେ ପଢୁଥିବା କଲେଜର କିଛି ଛାତ୍ର ଗତ ଡିସେମ୍ବର ମାସରେ ର୍ୟାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ । ଏପରିକି ବାହାରେ ପ୍ରକାଶ କଲେ ଅବସ୍ଥା ଖରାପ ହେବ ବୋଲି ଧମକ ଚମକ ଦେଇଥିଲେ । ସେଥିପାଇଁ ବାପାଙ୍କୁ ଫୋନ କରି ବାଥରୁମରେ ଖସିପଡିଥିବା କହିଥିଲେ ଶ୍ରେୟସ ।

ପୁଅର ଫୋନକଲ ପାଇବା ପରେ ତାକୁ ଆଣି ରାଉରକେଲା ଆଇଜିଏଚରେ ଭର୍ତି କରିଥିଲେ । ହେଲେ ଏଠାରେ ପରିବାର ଲୋକଙ୍କୁ ସାଥୀ ଛାତ୍ରମାନେ କିଭଳି ରାଗିଂ କରିବା ସହ ତାଙ୍କୁ ମାଡ ମାରିଥିଲେ ସେନେଇ କହିଛନ୍ତି ଶ୍ରେୟସ । ଯାହାକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ ପରିବାର ଲୋକ । ଏହି ଭିଡିଓ କନକ ନ୍ୟୁଜର ହସ୍ତଗତ ହୋଇଛି ।

ଭିଡିଓରେ କିଛି ଛାତ୍ରଙ୍କ ନାଁ ନେଇଛନ୍ତି ଶ୍ରେୟସ । ଏପରିକି ତାଙ୍କୁ ରାଗିଂ ନେଇ କଲେଜର ଭାଇସ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ ମଧ୍ୟ ସେ ଛୁଟି ପରେ ବୁଝିବା ବୋଲି କହିଥିଲେ । ଏ ସଂପର୍କରେ ଭାଇଜାଗ ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।

ଏପଟେ ରାଉରକେଲା ଆଇଜିଏଚରେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଶନିବାର ସକାଳୁ ତାଙ୍କୁ ଭୁବନେଶ୍ୱରୁ ସ୍ଥାନାନ୍ତର କରିଥିଲେ ପରିବାର ଲୋକ । ହେଲେ ଡାକ୍ତରମାନେ ତାଙ୍କୁ ବଂଚାଇବାକୁ ସମର୍ଥ ହୋଇନାହାନ୍ତି । ଯଦି ଶ୍ରେୟସଙ୍କ ପରିବାର ଲୋକଙ୍କ ଅଭିଯୋଗ ସତ ହୋଇଥାଏ ତାହେଲେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ ।