ଆସିବ ରାଫେଲ ଡିଲ ମାମଲାର ଚୂଡାନ୍ତ ରାୟ ! ପୂର୍ବରୁ ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଖଣ୍ଡପୀଠ

85

କନକ ବ୍ୟୁରୋ : ରାଫେଲ ଡିଲକୁ ନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇବେ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗେଇ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନଭେମ୍ବର ୨୪ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।   ଆଜି ଚୂଡାନ୍ତ ରାୟ ଆସିବାକୁ ଥିବା ବେଳେ ଏହା ଉପରେ ବିରୋଧୀ ଓ ଶାସକ ଦଳଙ୍କ ନଜର ରହିଛି । ମାମଲାର ଶୁଣାଣି ବେଳେ ବାୟୁସେନା ଅଧିକାରୀମାନେ ରଫେଲ୍ ଚୁକ୍ତି ନେଇ କୋର୍ଟରେ ପକ୍ଷ ରଖିଥିଲେ । କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଥିଲେ ଯେ ଫ୍ରାନ୍ସ ସରକାର ୩୬ଟି ଯୁଦ୍ଧ ବିମାନ ନେଇ ଭାରତ ସରକାରଙ୍କୁ କୌଣସି ଗ୍ୟାରେଣ୍ଟି ଦେଇନଥିଲେ ମଧ୍ୟ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ‘ଲେଟର୍ ଅଫ୍ କମ୍ଫର୍ଟ’ ମିଳିଛି । କେନ୍ଦ୍ର ସରକାର ଜଉମୁଦ ଲଫାପାରେ ରାଫେଲ୍ ଚୁକ୍ତି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ, କ୍ରୟ ମୂଲ୍ୟ ଆଦି ପ୍ରଦାନ କରିଥିଲେ । ସରକାର ୧୪ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଥିଲେ ଯେ ୨୦୧୩ରେ ହୋଇଥିବା ରାଫେଲ୍ ଚୁକ୍ତି ପ୍ରକ୍ରିୟାର ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକୁ ପାଳନ କରିଛନ୍ତି ।

ସୂଚନାଯୋଗ୍ୟ, ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ନେଇ ବିରୋଧୀ ଦଳଗୁଡ଼ିକ ଏନଡିଏ ସରକାରକୁ ଲଗାତର ଟାର୍ଗେଟ୍ କରୁଛନ୍ତି ଏବଂ ଏବେ ସଂସଦରେ ଏହି ପ୍ରସଙ୍ଗ ନେଇ ବିବାଦ ଲାଗିରହିଛି । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦ କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬ କୋଟି ଟଙ୍କା ଥିଲା ବୋଲି କଂଗ୍ରେସ ଦାବି କରିଛି । ତେବେ ନୂଆ ପିଢ଼ିର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ର ଖଞ୍ଜାଯାଇଥିବାରୁ ଏହାର ଦାମ ଅଧିକ ରହିଥିବା କୁହାଯାଇଛି । ଫ୍ରାନ୍ସ ସରକାରଙ୍କ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନିଷ୍ପତ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେବାପରେ ଏହି ମାମଲା ନେଇ ରାଜନୀତି ସରଗରମ ହୋଇଥିଲା ।

ରାଫେଲର ମୂଲ୍ୟ ଏବଂ ବୈଷୟିକ ବୈଶିଷ୍ଟ୍ୟ ନେଇ କୌଣସି ସୂଚନା ସରକାରଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି କୋର୍ଟ ପ୍ରଥମେ ସ୍ପଷ୍ଟ କରିଥିଲେ ମଧ୍ୟ ପରେ ଏ ବାବଦରେ ମତ ବଦଳାଇଥିଲେ । ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧାନରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ଏ ବାବଦରେ ଦୁର୍ନୀତି ଅଭିଯୋଗ ଆଣି କୋର୍ଟରେ ୨ ଜଣ ଆଇନଜୀବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆମେ ସରକାରଙ୍କୁ ନୋଟିସ୍ କରିନାହୁଁ । କେବଳ ରାଫେଲ ଚୁକ୍ତି କେଉଁ ସ୍ଥିତିରେ ଏବଂ କିଭଳି ହୋଇଥିଲା ସେ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ମଗାଯାଇଛି ବୋଲି ଖଣ୍ଡପୀଠ କହିଥିଲେ ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ କହିଥିଲେ, ରାଫେଲ ଚୁକ୍ତି ସଂକ୍ରାନ୍ତ ସବିଶେଷ ତଥ୍ୟ କାହାକୁ ପ୍ରଦାନ କରାଯାଇପାରିବ ନାହିଁ । ଜାତୀୟ ସ୍ବାର୍ଥ ସହିତ ଏହି ଯୁଦ୍ଧ ବିମାନ ଚୁକ୍ତି ସଂପୃକ୍ତ ଥିବାରୁ ସରକାର ଏ ଦିଗରେ ସର୍ବାଧିକ ସତର୍କତାର ସହ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସରକାର ରାଫେଲ ଚୁକ୍ତି ନେଇ ହୋଇଥିବା ସମସ୍ତ ଜନସ୍ବାର୍ଥ ମାମଲାକୁ ଖାରଜ କରିବାକୁ କୋର୍ଟରେ ନିବେଦନ କରିଥିଲେ । ତେବେ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ ନକରି ଏନ୍ଡିଏ ଏବଂ ୟୁପିଏ ସରକାର ଅମଳରେ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରକ୍ରିୟା ବାବଦ ତଥ୍ୟ ବନ୍ଦ ଲଫାପାରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।