ଉତ୍ତରପ୍ରଦେଶ ରାଏବରେଲୀରେ ବଡ ଟ୍ରେନ ଦୁର୍ଘଟଣା । ରେଳ ଟ୍ରାକରୁ ଖସିଲା ‘ନ୍ୟୁ ଫରକ୍କା ଏକ୍ସପ୍ରେସ’ର ୫ଟି ବଗି । ୬ମୃତ,୨୦ରୁ ଅଧିକ ଆହତ

29

କନକ ବ୍ୟୁରୋ: ଆଜି ଭୋରରୁ ଉତ୍ତରପ୍ରଦେଶ ଅନ୍ତର୍ଗତ ରାଏବରେଲୀ ନିକଟରେ ‘ନ୍ୟୁ ଫରକ୍କା ଏକ୍ସପ୍ରେସର’ର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଆଜି ପ୍ରତ୍ୟୁଷରେ ହରଚାନ୍ଦପୁର ରେଳବାଇ ଷ୍ଟେସନ୍ ଠାରୁ ପ୍ରାୟ ୫୦ ମିଟର ଦୂରରେ ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ଆସିଛି । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା କୁହାଯାଉଛି। ଏଥିରେ ଆହୁରି କେତେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ନୂଆଦିଲ୍ଲୀ-ମାଲ୍ଦା ‘‘ନ୍ୟୁ ଫରକ୍କା ଏକ୍ସପ୍ରେସର’କୁ (ଟ୍ରେନ୍ ନମ୍ବର ୧୪୦୦୩) ଗୋଟାଏ ଭୁଲ୍ ଟ୍ରାକକୁ ଛଡ଼ା ଯିବା ପରେ ଇଞ୍ଜିନ୍ ସହ ୫ଟିବଗି ଲାଇନ୍ରୁ ବାହାରି ଯିବା କାରଣରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସ୍ଥାନୀୟ ପ୍ରଶାସନ, ବାରାଣସୀ ଓ ଲକ୍ଷ୍ନୌର ଏନଆରଏଫ୍ ଟିମ୍ ଉଦ୍ଧାର କାର‌୍ୟ୍ୟ ଚଳାଇଥିବା ବେଳେ ଶୀର୍ଷସ୍ତରୀୟ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ନିର୍ଦେଶରେ ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ଅଶ୍ୱିନୀ ଲୋହାନି ମଧ୍ୟ ଘଟନାସ୍ଥଳକୁ ଯାଇଛନ୍ତି।