କୋଣାର୍କରୁ ବାଲି କାଢ଼ିବାକୁ ନେଇ ପ୍ରଶ୍ନ । କେଉଁ ପ୍ରକ୍ରିୟାରେ କଢ଼ାଯିବ ବାଲି? ପ୍ରକ୍ରିୟା ସାର୍ବଜନୀନ କରିବାକୁ ଦାବି

135

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନିଷ୍ପତ୍ତି କରିବା ପରେ, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଗବେଷକ । କାହା ପରାମର୍ଶରେ ଏଏସଆଇ ଏଭଳି ନିଷ୍ପତ୍ତି କରିଛି ଏବଂ ବାଲି କାଢିବା ହିଁ ଏକମାତ୍ର ବିକଳ୍ପ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବାଲି କାଢିବା ଫଳରେ ଏହା ଅଧିକ ସୁରକ୍ଷିତ ହେବ ନା ବିପଦ ବଢାଇବ, ତାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି । ବାଲି କାଢିବା ପାଇଁ ଭୂମି ପୂଜନ କରାଯାଇ ସାରିଲାଣି । ଅର୍ଥାତ ଏଏସଆଇ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏତେବଡ କାମ ପାଇଁ ରାଜ୍ୟ ସରକାରଙ୍କ କୌଣସି ପଦାଧିକାରୀଙ୍କୁ ସାମିଲ କରାନଯିବା ସ୍ଥାନୀୟ ଲୋକଙ୍କ ସନ୍ଦେହକୁ ବଢାଇ ଦେଇଛି । ଉପରକୁ ଥିବା ଜଗମୋହନକୁ ପ୍ରଥମେ ସୁରକ୍ଷା ନଦେଇ, ବାଲି କାଢିବା ପାଇଁ ହୋଇଥିବା ନିଷ୍ପତିକୁ ସେମାନେ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ।

ବିଗତ ଦିନରେ ସୂର୍ଯ ମନ୍ଦିର ଜଗମୋହନରୁ ବାରମ୍ବାର ପଥର ଖସିବା ପରେ ୨୦୦୬ ମସିହାରେ ଏକ ୧୫ ଜଣିଆ ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ କରି ଗର୍ଭଗୃହର ବାଲି ୧୬ ଫୁଟ ତଳକୁ ଖାସିଯାଇଥିବା ରିପୋର୍ଟ ଦେଇଥିଲେ । ତେଣୁ ଭିତର କାନ୍ଥରେ ଚାପ ସୃଷ୍ଟି ହୋଇ ବିଭିନ୍ନ ସ୍ଥାନରେ ଫାଟ ଦେଖାଯାଇଥିବା ସୂଚନା ଦେଇଥିଲେ । ଏହାପରେ ବାଲି ନିଷ୍କାସନ ସହ ଭିତରପଟ କାନ୍ଥକୁ ଷ୍ଟେନଲେସ ଷ୍ଟିଲ ସପୋର୍ଟ ଦେବାପାଇଁ ବିଶେଷଜ୍ଞମାନେ ସେତେବେଳେ ପରାମର୍ଶ ଦେଇଥିଲେ । ହେଲେ ଏଏସଆଇ ଏହି ପରାମର୍ଶକୁ ଗୁରୁତ୍ୱ ନଦେବାରୁ ୨୦୦୯ରେ ଜଗମୋହନରୁ ୬ଥର ପଥର ଖସିଥିବା କୁହାଯାଉଛି । ଏବେ ପୁଣି ଏଏସଆଇର ମନମୁଖୀ କାର୍ଯ୍ୟକୁ ନେଇ ପ୍ରଶ୍ନ କରିଛି କୋଣାର୍କ ସୁରକ୍ଷା ସମିତି ।

୧୨୦ ବର୍ଷ ତଳେ ୧୩୦ ଫୁଟ ଉଚ୍ଚର ବାଲି ଭର୍ତ୍ତି କରାଯାଇଥିଲା । ଢାଞ୍ଚାକୁ ସୁରକ୍ଷା ଦେବା ପାଇଁ ବ୍ରିଟିଶ ସରକାର ଏପରି କରିଥିଲେ । ବିଶିଷ୍ଟ ସ୍ଥପତି ବିଶେନ ସ୍ୱରୂପଙ୍କ ନେତୃତ୍ୱରେ ବାଲି ଭର୍ତ୍ତି କରାଯାଇଥିଲା । ୧୨୦ ବର୍ଷ ଭିତରେ ବାଲି ଦବି ଯାଇଥିବାରୁ ବିପଦରେ ଅଛି କୋଣାର୍କ । ବିଶେଷଜ୍ଞ କହିଛନ୍ତି ଯେଉଁ ରାସ୍ତାଦେଇ ବିସେନ ସ୍ୱରୂପ ପଦାକୁ ଆସିଥିଲେ ଏବେ ସେହି ବାଟେ ବାଲି କାଢିବାକୁ ଯୋଜନା କରୁଛି ଏଏସଆଇ ।

କେମିତି ବାଲିମୁକ୍ତ ହେବ ବ୍ଲାକ ପାଗୋଡା ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହିଛି । ବିଶେଷଜ୍ଞ ମଧ୍ୟ ଆଶଙ୍କା କରୁଛନ୍ତି ବାଲି ବାହାର କରିବା ପରେ ଜଣାପଡିବ କଣସବୁ ଆହ୍ୱାନ ଆଗକୁ ଆସିବ । ତେଣୁ କୋଣାର୍କକୁ ନେଇ କଣ ଆକଳନ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ କିଭଳି ଏହି ବାଲିକଢା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ ସେନେଇ ବିସ୍ତୃତ ସୂଚନା ସାର୍ବଜନୀନ କରିବାକୁ ଦାବି ଉଠୁଛି ।