ଓୟୋ ହୋଟେଲରେ ବିଏମସି ଆରମ୍ଭ କଲା ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା । ତିନୋଟି ଓୟୋ ହୋଟେଲରେ ୪୦ଟି ବେଡ୍ ପ୍ରସ୍ତୁତ ।

123

କନକ ବ୍ୟୁରୋ: ଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢିବାକୁ ଲାଗିଛି । ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ହେଲେ ସଙ୍ଗରୋଧ ଗୃହର ଅଭାବ ହେତୁ ଲୋକମାନେ ନାନାଦି ସମସ୍ୟା ଭୋଗୁଛନ୍ତି । ଏପରି ସମୟରେ ଓୟୋ ରୁମକୁ ବିଏମସି ସଙ୍ଗରୋଧ କେନ୍ଦ୍ର ଭାବେ ବାଛିଛି । ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି ।

ବିଏମସି ତରଫରୁ ଏହି ହୋଟେଲମାନଙ୍କର ଫୋନ ନମ୍ବର ଓ ଠିକଣା ମଧ୍ୟ ଜାରି କରାଯାଇଛି । ଏହି ହୋଟେଲରେ ଲୋକମାନେ ନିଜକୁ ୧୦ ଦିନ ପାଇଁ ସଙ୍ଗରୋଧରେ ରଖିପାରିବେ ବୋଲି ବିଏମସି ତରଫରୁ ସୂଚନା ଦିଆଯାଇଛି ।