କ୍ୱାଡ ବୈଠକକୁ ନେଇ ଚୀନର ଚିନ୍ତା । ପ୍ରଶାନ୍ତ ମହାସାଗର ଅଂଚଳର ଶାନ୍ତି ଓ ପ୍ରଗତି ନେଇ ସ୍ୱର ମିଶାଇଲେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ।

135

କନକ ବ୍ୟୁରୋ: ଭାରତ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ପାଇଁ ଗଢା ହୋଇଥିବା କ୍ୱାଡ ଗ୍ରୁପ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ । କରୋନାରୁ ନେଇ ଅର୍ଥନୀତି , ସାମରିକ ପରି ପ୍ରସଙ୍ଗରେ ଆଲୋଚନା ହୋଇଛି । କ୍ୱାଡ ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ୱାଡ୍ ଗ୍ରୁପ୍ ଇଣ୍ଡୋ-ପାସିଫିକ୍ ଅଂଚଳର ସ୍ଥିରତାର ସ୍ତମ୍ଭ । ଭାରତ ଓ ପ୍ରଶାନ୍ତ ମହାସାଗର ଅଂଚଳରେ ଶାନ୍ତି ଓ ସ୍ଥିରତା ଦିଗରେ ଭାରତ ଚିନ୍ତା କରୁଥିବା କହିଛି । ଚାରି ଦେଶର ରାଷ୍ଟ୍ରମୁଖ୍ୟଙ୍କର ଏହା  ପ୍ରଥମ ବୈଠକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଓ ଜାପାନର ପ୍ରଧାନମନ୍ତ୍ରୀ ୟାସିହିତେ ସୁଗା ଏହି ବୈଠକରେ ସାମିଲ ହୋଇ ବିଶ୍ୱ ସ୍ଥିତି ନେଇ ଆଲୋଚନା କରିଛନ୍ତି ।

କ୍ୱାଡ ବୈଠକରେ କରୋନା ଓ ବିଶ୍ୱ ଅର୍ଥନୀତି ସମେତ ଚୀନର ବିସ୍ତାରବାଦୀ ମାନସିକତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଚୀନକୁ ରୋକିବା ପାଇଁ ଏହି କ୍ୱାଡ୍ ଗ୍ରୁପ୍ର ଗଠନ ହୋଇଛି । ଜଳବାୟୁ ପରିବର୍ତନ ନେଇ ମଧ୍ୟ ୪ ବିଶ୍ୱ ନେତା ସେମାନଙ୍କ ମତ ରଖିଛନ୍ତି । ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଏକ ସ୍ଥାୟୀ, ସୁରକ୍ଷିତ ଏବଂ ସମୃଦ୍ଧ କ୍ଷେତ୍ର ପାଇଁ ଆମେ ପୂର୍ବାପେକ୍ଷା ଆହୁରି ନିକଟତର ହୋଇ କାମ କରିବା ଦିଗରେ ସ୍ୱର ଏକ୍ କରିଛନ୍ତି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରର ନେତା । ଏପରି ବୈଠକ ପରେ ବିସ୍ତାରବାଦୀ ନୀତିକୁ ଆପଣାଇଥିବା ଚୀନ୍, ଅଧିକ ଚିନ୍ତାରେ ପଡିଛି । କାରଣ ଚୀନକୁ ଅନ୍ତର୍ଜାତୀୟ ସ୍ତରରେ ଚେକ୍ ଦେବାକୁ ପାଇଁ କ୍ୱାଡ ହିଁ ବାଟତିଆରି କରିବ ।