ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା ! ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ପଣ୍ଡା ଇନଫ୍ରାର ୨ ନିର୍ଦ୍ଦେଶକ

31

କନକ ବ୍ୟୁରୋ : ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ପଣ୍ଡା ଇନଫ୍ରାର ୨ ନିର୍ଦ୍ଦେଶକ । ତେବେ ରାଜଧାନୀର ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଠିକା କଂପାନୀର ୨ ଜଣ ନିର୍ଦ୍ଦେଶକଙ୍କ ନାଁରେ ସର୍କୁଲାର ଜାରି ହୋଇଛି । ପଣ୍ଡା ଇନଫ୍ରା ପ୍ରୋଜେକ୍ଟର ୨ ନିର୍ଦ୍ଦେଶକ ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ଏଲଓସି ଜାରି କରିଛି ପୋଲିସ । ବ୍ରିଜ ଭୁଶୁଡିବା ପରେ ଏହି ୨ ଜଣ ନିର୍ଦ୍ଦେଶକ ଫେରାର ଥିବାରୁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିବା ନେଇ କମିସନରେଟ ପୋଲିସ ସୂଚନା ଦେଇଛି ।

ସେପଟେ ବମିଖାଲ ଫ୍ଲାଏ ଓଭର ଭୁଶୁଡିବା ଘଟଣା ଗତକାଲି ହାଇକୋର୍ଟକୁ ଯାଇଥିଲା । ଗତକାଲି ଏସଂପର୍କରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ତରଫରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ଏନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବଙ୍କ ସମେତ ମୋଟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ମିଳିଛି । ହାଇକୋର୍ଟଙ୍କ ଦେଖରେଖରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ନିବେଦନ କରାଯାଇଛି ।