ୟୁକ୍ରେନ ଯୁଦ୍ଧରେ ଗଣ ସମ୍ପୃକ୍ତିକୁ ନେଇ ପୁଟିନଙ୍କ ନିଷ୍ପତ୍ତିକୁ ପ୍ରବଳ ବିରୋଧ : ରୁଷର ୩୮ ସହରରେ ଜୋରଦାର ବିକ୍ଷୋଭ

129

କନକ ବ୍ୟୁରୋ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତିକୁ ବିରୋଧ କରି ରୁଷରେ ଜୋରଦାର ହୋଇଛି ବିକ୍ଷୋଭ ପ୍ରଦର୍ଶନ । ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରେ ପୁରୁଷଙ୍କୁ ଦେଶ ନଛାଡିବାକୁ କହିଥିଲେ ୟୁକ୍ରେନ ରାଷ୍ଟ୍ରପତି, ଏବେ ଠିକ୍ ସେହିପରି ଯୁଦ୍ଧରେ ସାମିଲ ହେବା ପାଇଁ ପୁରୁଷଙ୍କୁ ଦେଶ ନଛାଡିବାକୁ କହିଛି ପୁଟିନ ସରକାର । ରୁଷିଆରେ ୧୮ରୁ ୬୫ବର୍ଷୀୟ ପୁରୁଷଙ୍କୁ ଦେଶ ଛାଡି ଯିବାକୁ ଅନୁମତି ନାହିଁ । ଏପରିକି ସେମାନଙ୍କୁ ବିମାନ ଟିକଟ ବିକ୍ରି ନକରିବାକୁ ଏୟାରଲାଇନ୍ସ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହ ୟୁକ୍ରେନର ୪ଟି ଅଞ୍ଚଳରେ ୩ଲକ୍ଷ ରିଜର୍ଭ ସୈନ୍ୟ ମୁତୟନ ପାଇଁ ରାଷ୍ଟ୍ରପତି ପୁଟିନ ବୁଧବାର ଦିନ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ରାଜଧାନୀ ମସ୍କୋ ଓ ସେଣ୍ଟ ପିଟସବର୍ଗ ସମେତ ୩୮ଟି ସହରରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଳାଇ ପୁଟିନ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ୧୩ଶହରୁ ଅଧିକ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି ପୁଲିସ ।

ୟେକାତେରିନବର୍ଗ ସମେତ କେତେକ ସହରରେ ପୁଲିସ ଓ ବିକ୍ଷୋଭ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି । ଏହାର କିଛି ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୁଲିସ ଅତି ନିଷ୍ଠୁର ଭାବେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଦେଶରେ ମାର୍ସଲ ଆଇନ ଲାଗୁ ହେବା ଆଶଙ୍କା ଦେଖାଦେଇଛି । ଏହାସହ ଦେଶରୁ ଲୋକ ପଳାୟନ ଆରମ୍ଭ କରିଛନ୍ତି । ବିମାନ ଯୋଗେ ଲୋକେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ଫଳରେ ବୁଧବାର ସବୁ ବିମାନର ଟିକଟ ବିକ୍ରି ହୋଇଯାଇଥିଲା । କିନ୍ତୁ ଏବେ ଆଉ ବିଦେଶ ଯିବାକୁ ଅନୁମତି ନାହିଁ ।

ତେବେ ପୁରୁଷଙ୍କୁ ବିମାନ ଟିକଟ ନ ବିକ୍ରି କରିବା ନିଷ୍ପତ୍ତିକୁ ବିରୋଧ କରି ଦେଶର ମହିଳାମାନେ ନିଜ ସ୍ୱାମୀଙ୍କ ହାଡ ଭାଙ୍ଗି ଦେବାକୁ ଧମକ ଦେଇଛନ୍ତି । ଫଳରେ ସେମାନେ ଯୁଦ୍ଧରେ ସାମିଲ ହୋଇପାରିବେ ନାହିଁ । ଶନିବାର ଦିନ ପର୍ଯନ୍ତ ତୁର୍କୀସ ଏୟାରଲାଇନ୍ସର ସମସ୍ତ ଟିକଟ ବିକ୍ରି ହୋଇଯାଇଥିବା ସୂଚନା ମିଳିଛି । ରୁଷିଆରୁ ବିଭିନ୍ନ ପ୍ରମୁଖ ଦେଶକୁ ତୁର୍କୀସ ଏୟାରଲାଇନ୍ସ ପକ୍ଷରୁ ସିଧାସଳଖ ବିମାନ ଉଡାଣ ଭରିଥାଏ ।