କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏବେ ପୁଟିନ ସବୁଠାରୁ ବଡ ସଂକଟ ଘେରରେ ଫଶି ଯାଇଛନ୍ତି । ପୁଟିନଙ୍କ ଘରୋଇ ସେନା ୱାଗନର ଗ୍ରୁପ ଏବେ ପୁଟିନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛି । ଋଷ ସହିତ ଜଡି ବେଗନର ସେନାର ମୁଖ୍ୟ ୟେବଗେନୀ ପ୍ରିଗୋଝିନ ମସ୍କୋ ଉପରେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି ।

Advertisment

ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ୱାଗନର ମୁଖ୍ୟ ୟେବଗେନୀ ପ୍ରିଗୋଝିନଙ୍କ ଗତିବିଧି ଉପରେ ଦୈନିକ ସୂଚନା ଦିଆଯାଉଛି । କ୍ରେମଲିନ ତରଫରୁ କୁହାଯାଇଛି କି, ରକ୍ଷା ମନ୍ତ୍ରଣାଳୟ, ଆନ୍ତରିକ ମାମଲା ମନ୍ତ୍ରଣାଳୟ ଓ ନ୍ୟାସନାଲ ବୋର୍ଡ ତରଫରୁ ଲଗାତର ଭାବେ ୟେବଗେନୀ ପ୍ରିଗୋଝିନଙ୍କ ଗତିବିଧି ନେଇ ପୁଟିନଙ୍କୁ ସୂଚନା ଦିଆଯାଉଛି ।

ଗଣମାଧ୍ୟମ ରିପୋର୍ଟ ମୁତାବକ ୱାଗନର ଗ୍ରୁପର ମୁଖ୍ୟ ୟେବଗେନୀ ପ୍ରିଗୋଝିନ ବଖମୁତ ଠାରେ ଥିବା ବେଗନର ଗ୍ରୁପର ଟ୍ରେନିଂ କ୍ୟାମ୍ପ ଉପରେ ହୋଇଥିବା ମିଜାଇଲ ଆକ୍ରମଣ ପାଇଁ କ୍ରେମଲିନକୁ ଦାୟୀ କରିଛି । ଏହି ମିଜାଇଲ ଆକ୍ରମଣରେ ୱାଗନର ଗ୍ରୁପର ଅନେକ ଯବାନ ପ୍ରାଣ ହରାଇଥିଲେ ।

ୱାଗନର ପ୍ରମୁଖ ୟେବଗେନୀ ପ୍ରିଗୋଝିନ କହିଛନ୍ତି କି ସେନା ଦକ୍ଷିଣ ସୀମା କ୍ଷେତ୍ରରେ ପ୍ରବେଶ କରିସାରିଛି । ଯୁଦ୍ଧ ଘୋଷଣା କରିବା ଢଙ୍ଗରେ ୟେବଗେନୀ ପ୍ରିଗୋଝିନ କହିଛନ୍ତି କି ୱାଗନର ଗ୍ରୁପର ୨୫ ହଜାର ଯବାନ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ୟେବଗେନୀ ପ୍ରିଗୋଝିନଙ୍କର ଏଭଳି ବୟାନ ପରେ ଋଷ ଅଧିକାରୀ ଲୋକମାନଙ୍କୁ ଘରୁ ନବାହାରିବାକୁ ନିବେଦନ କରିଛନ୍ତି ।

ସେପଟେ ୟେବଗେନୀ ପ୍ରିଗୋଝିନ ଏହି ଲଢେଇକୁ ନ୍ୟାୟର ଲଢେଇ ବୋଲି କହିଛନ୍ତି । ସଦ୍ୟ ସୂଚନା ମୁତାବକ ୱାଗନର ସେନାର ଯବାନ ଏବେ ନୋବେଚେର୍କସ୍କ ରାସ୍ତା ଦେଇ ପ୍ରଥମ ସହର ପାର କରିଛନ୍ତି । ନୋବେଚେର୍କସ୍କ ହେଉଛି ଋଷ ସେନାର ମୁଖ୍ୟାଳୟ । ମସ୍କୋ ସଡକରେ ୱାଗନର  ଗ୍ରୁପର ଟ୍ୟାଙ୍କର ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ଋଷର ସ୍ୱତନ୍ତ୍ର ସେନା ମସ୍କୋକୁ ନାକାବନ୍ଦୀ କରିଛନ୍ତି । ଋଷ ସେନା ପକ୍ଷରୁ ଋଷ ସେନା ଅଧିକାରୀ କ୍ରେମଲିନ ଓ ଋଷର ସଂସଦ ଡ୍ରୁ୍ୟମାକୁ ସୁରକ୍ଷିତ ରଖିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ପୁଟିନଙ୍କ ବିରୋଧୀ ମିଖାଇଲ ଖୋଦେରକୋସ୍କି ଋଷର ରାଜ୍ୟପାଳ ପ୍ରମୁଖ ୟେବଗେନୀ ପ୍ରିଗୋଝିନଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି ।