ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି : ରତ୍ନ ସିଂହ୍ନାସନରେ ତିନି ଠାକୁରଙ୍କ ହେବ ସୁନା ବେଶ

ମନ୍ଦିର ବନ୍ଦ ଥିବାରୁ ପତିତପାବନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

257

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ପୁଷ୍ୟାଭିଷେକ ନୀତି ହେଉଛି । ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ଶ୍ରୀଜଗନ୍ନାଥଙ୍କ ନିତ୍ୟପୂଜା ପରେ ନୂଆବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଯାଇ ଯାତ୍ରା ମଣ୍ଡପକୁ ନିଆଯାଇଥାଏ । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଅଭିଷେକ ଉତ୍ସବ ରାଜାଙ୍କ ଅଭିଷେକ ଭାବେ ପାଳନ କରାଯାଏ । ଏହି ଅଭିଷେକ ଦର୍ଶନ କଲେ ଭକ୍ତ ପାପାମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉ ସୁନାବେଶରେ ସଜ୍ଜିତ ହେବେ । ତେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ବଡଦାଣ୍ଡରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ପୁଷ୍ୟାଭିଷେକ ଅନ୍ତର୍ଭୁକ୍ତ । ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଏହାକୁ ‘ପୁଷ୍ୟ ସ୍ନାନୋତ୍ସବ’ ବୋଲି କୁହାଯାଇଛି । ମୁନିଗଣଙ୍କର ପ୍ରଶ୍ନର ଉତ୍ତରରେ ଜୈମିନୀ ଋଷି କହିଛନ୍ତି- “ହେ ମୁନିଗଣ ! ଯେଉଁ ବର୍ଷ ପୌଷମାସ ପୂର୍ଣ୍ଣିମାରେ ପୁଷ୍ୟା ନକ୍ଷତ୍ର ଯୋଗ ହେବ, ସେହି ବର୍ଷ ଭଗବାନ ହରିଙ୍କ ପୁଷ୍ୟସ୍ନାନ ମହୋତ୍ସବ କରିବା ବିଧେୟ ।” ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ଆଦି ଗ୍ରନ୍ଥରେ ଏହାକୁ ‘ପୁଷ୍ୟୋତ୍ସବ’, ‘ପୁଷ୍ୟଯାତ୍ରା’, ‘ଅଭିଷେକୋତ୍ସବ’ କୁହାଯାଇଛି ।

‘ବ୍ରହ୍ମପୁରାଣ’ ଅନୁସାରେ, ପୂର୍ବକାଳରେ ଏହି ଜଗତ ଲକ୍ଷ୍ମୀ ପରିତ୍ୟକ୍ତ ହେବାରୁ ଶ୍ରୀହୀନ ହୋଇଯାଇଥିଲା। କିନ୍ତୁ, ଇନ୍ଦ୍ର, ସୋମ, ଶୁକ୍ର ଓ ବୃହସ୍ପତି ଆଦି ତପସ୍ୟା କରିବାରୁ, ପୌଷପୂର୍ଣ୍ଣମୀ ତିଥିରେ ପୁନଶ୍ଚ ଲକ୍ଷ୍ମୀଙ୍କଦ୍ୱାରା ଏହି ଜଗତକୁ ଶ୍ରୀ ଫେରିଥିଲା । ଏଣୁ ଏହି ତିଥିରେ ସୌଭାଗ୍ୟ ପ୍ରଦାୟକ ଓ ଉତ୍ସାହବ୍ୟଞ୍ଜକ ପୁଷ୍ୟୋତ୍ସବ ଅନୁଷ୍ଠିତ ହୁଏ । ବରାହମିହିର ପ୍ରଣୀତ ‘ବୃହତ୍ ସଂହିତା’ରେ ଥିବା ଉଲ୍ଲେଖ ଅନୁସାରେ- ଦେବତା ଓ ଅସୁରଙ୍କ ଯୁଦ୍ଧରେ ଦେବତାମାନେ ପରାସ୍ତ ହେଲେ। ଫଳରେ ସେମାନଙ୍କର ଗୁରୁ ବୃହସ୍ପତି ଏହି ତିଥି ଓ ନକ୍ଷତ୍ରରେ ଦେବରାଜ ଇନ୍ଦ୍ରଙ୍କୁ ଧ୍ୟାନଯୋଗେ ଅଭିଷିକ୍ତ କରାଇଥିଲେ। ଫଳରେ ଦେବରାଜ ଇନ୍ଦ୍ରଙ୍କ ସମେତ ଅନ୍ୟ ଦେବଗଣ ଶକ୍ତିଶାଳୀ ହୋଇ ଅସୁରଙ୍କୁ ପରାସ୍ତ କରିଥିଲେ । ଏଣୁ ଏହି ତିଥିରେ ରାଜାମାନଙ୍କର ମଧ୍ୟ ଅଭିଷେକ ଉତ୍ସବ ଆୟୋଜିତ ହୋଇଥାଏ ।

ଶ୍ରୀଜଗନ୍ନାଥ ଚେତନାରେ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ସେ ଦେବାଧିଦେବ। ତେଣୁ ପୌଷପୂର୍ଣ୍ଣିମାରେ, ଶ୍ରୀମନ୍ଦିରର ରତ୍ନସିଂହାସନରେ ତାଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ । ସେଥିରେ ଶ୍ରୀଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍‌ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ । ‘ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ମନର ସମସ୍ତ ଅଭୀଷ୍ଟ ପୂରଣ ହୁଏ ଏବଂ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ ।