ଖରା ଆରମ୍ଭରୁ ଜଳକଷ୍ଟ : ପୁରୀ ଜିଲ୍ଲା କଣାସ ବ୍ଲକରେ ଲୋକଙ୍କ ଭରସା ଚୂଆପଣି

ପିଇବା ପାଣି ନଦୀରେ ଚୂଆ ଖୋଳି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କଣାସର ଅଠରବାଟିଆ ଗାଁ ଲୋକ

65

କନକ ବ୍ୟୁରୋ : ହାତରେ ଗରା ବାଲଟି । ଗାଁ ଦାଣ୍ଡରେ ପାଣି ପାଇଁ ବାହାରିଛନ୍ତି ମହିଳା । ପୁରୀ ଜିଲ୍ଲା କଣାସ ବ୍ଲକର ବଡାସ ପଂଚାୟତର ଅଠରବାଟିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରତ୍ୟକ ଦିନ ପିଇବା ପାଣି ମୁନ୍ଦାଏ ସଂଗ୍ରହ କରିବା ପାଇଁ ଏହି ପରି ବାଟ ଚାଲୁଛନ୍ତି ମହିଳାମାନେ । ଏମିତି ଖରାଦିନ ଆସିଲେ ଅଠରବାଟିଆ ଗାଁ ଲୋକଙ୍କ ଭରସା ପାଲଟିଥାଏ , ମଲାଗୁଣି ନଦୀ । ଲୋକେ ଗାଁ ଠାରୁ ଦୂରକୁ ନଦୀ କୂଳକୁ ଯାଇଥାନ୍ତି । ସେଠାରେ ଚୂଆ ଖୋଳିଥାନ୍ତି । କେଉଁଛି ହାତେ ତ କେଉଁଠି ଅଂଟେ ଖୋଳିଲେ ମିଳେ ପାଣି । ପ୍ରାୟ ୨ ଘଂଟା ଧରି ପାଣି ସଂଗ୍ରହ କରିବା ପରେ ଘରକୁ ଫେରିଥାନ୍ତି ମହିଳା ।

ଏ ହେଉଛି ପ୍ରତ୍ୟକ ବର୍ଷ ଖରାଦିନ ଆସିଲେ ଅଠରବାଟିଆ ଗାଁ ଲୋକଙ୍କ ଜଳ ପାଇଁ ସଂଘର୍ଷର କଥା । ମଲାଗୁଣି ନଦୀ ଶୁଖି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଚିନ୍ତା ଘାରୁଛି । ଗାଁରେ ନଳକୂପ ଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତା ଅନୁସାରେ ପାନୀୟଜଳ ଯୋଗାଇପାରୁନି । ଏନେଇ ପ୍ରଶାସନକୁ ବାରମ୍ୱାର ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ପାଣି ସମସ୍ଯା ଏବେର ନୁହେଁ ବରଂ ପିଢି ପରେ ପିଢି ବର୍ଷ ବର୍ଷ ଧରି ଦେଖାଦେଇ ଆସୁଛି । ହେଲେ ବି ଏହି ସମସ୍ୟାର ସମାଧାନ ହେଉପାରୁନାହିଁ । ଅପରିଷ୍କାର ପାଣି ପିବା ପରେ ଗାଁରେ ଦେଖା ଦେଲେଣି ଚର୍ମ ରୋଗ ।

ଏପଟେ କଣାସ ବ୍ଲକ ବିଡିଓ ଗାଁ ଲୋକ ସମସ୍ଯାର ସମ୍ମୁଖୀନ ହେଉଥିବା ଅଭିଯୋଗ ପାଇଛି । ପାନୀୟ ଜଳର ସମସ୍ଯା ଉପରେ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସଫେଇ ଦେଇଛନ୍ତି । ଏବେ କେବଳ ଅପେକ୍ଷା କେବେ ପ୍ରତିଶ୍ରୁତି ପୂରଣ ହେଉଛି ଆଉ କେବେ ପାଉଛନ୍ତି ପିଇବା ପାଣି ଅଠର ବାଟିଆ ଗାଁ ଲୋକେ ।