ଦିନଟିଏ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଚାଲିଛି ଜଗା ଦର୍ଶନ :  ଭକ୍ତଙ୍କ ଅସୁବିଧାକୁ ଦେଖି ବ୍ୟାରିକେଡକୁ ଛୋଟାଇ ଦେଲା ପ୍ରଶାସନ; ମରିଚକୋଟ ଛକରୁ ଶ୍ରୀମନ୍ଦିର ଯାଏଁ ଧାଡ଼ି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ

67

କନକ ବ୍ୟୁରୋ : ଭକ୍ତଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରେ ଥିବା ବ୍ୟାରିକେଡକୁ ଛୋଟ କରାଯାଇଛି । ଜଗାକୁ ଦେଖିବାକୁ ଆଉ ଭକ୍ତକୁ ବେଶି ବାଟ ଚାଲିବାକୁ ପଡିବନାହିଁ । ମାର୍କେଟ ଛକ ବଦଳରେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ରହିବ ବ୍ୟାରିକେଡ । ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି  ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ କରାଯାଇଥିଲା ।

ଫଳରେ ଭକ୍ତଙ୍କୁ ୨ କିଲୋମିଟର ରାସ୍ତା ଚାଲିଚାଲି ଯିବାକୁ ପଡୁଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କନକ ନ୍ୟୁଜରେ ମଧ୍ୟ ଏନେଇ ଖବର ପ୍ରସାରଣ କରାଯାଇଥିଲା । ଅନେକ ବାଟ ଚାଲିବାକୁ ପଡୁଥିବାରୁ ବରିଷ୍ଠ ନାଗରିକ ମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ ବୋଲି ପୁରୀ ଏସପି  ସୂଚନା ଦେଇଛନ୍ତି ।