ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡ଼ିବା ଘଟଣା : ଜଗନ୍ନାଥ ମହାପ୍ରଭୁ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବଙ୍ଗୀୟ ୟୁଟ୍ୟୁବର

150

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ କ୍ଷମା ମାଗିଛନ୍ତି ବଂଗୀୟ ୟୁଟ୍ୟୁବର । ଏକ ଭିଡିଓ ଜାରି କରି ଅନିମେଶ ଚକ୍ରବର୍ତି ପ୍ରଭୁ ଜଗନ୍ନାଥ ଓ ଓଡିଶାବାସୀଙ୍କୁ କ୍ଷମା ମାଗିଛି । ଅନିମେଶ କହିଛି, ସେ ଡ୍ରୋନ ଉଡାଇ ଭିଡିଓ ସୁଟ କଲା ବେଳେ ନୋ ଫ୍ଲାଇଂ ଜୋନ ବାବଦରେ ଆଦୌ ଜାଣିନଥିଲେ । ତାଙ୍କର ଏପରି କାର୍ଯ୍ୟ ଯଦି କାହା ମନରେ ଆଘାତ ଦେଇଛି, ତେବେ ସେ କ୍ଷମା ମାଗି ନେଉଛନ୍ତି ବୋଲି ଭିଡିଓରେ ନେହୁରା ହୋଇଛନ୍ତି । ଅନିମେଶ କହିଛନ୍ତି ଅନ୍ୟ ବ୍ଲଗର ବିଭିନ୍ନ ପ୍ରଶ୍ନ କରିବାରୁ ପୁଲିସର ଅନୁମତି ନେଇଥିବା କହିଥିଲେ । କିନ୍ତୁ ପ୍ରକୃତରେ ପୁଲିସର ଅନୁମତି ନନେଇ ପୁରୀ ପୁଲିସର ନାଁ ନେଇଥିବାରୁ ପୁରୀ ପୁଲିସକୁ ମଧ୍ୟ ସେ କ୍ଷମା ମାଗିଛନ୍ତି ।

ସେପଟେ, ଏ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଭଏସ ଅଫ କମନ ମ୍ୟାନ ପୁରୀ । ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କରିଛନ୍ତି ଦାବି । ଶ୍ରୀମନ୍ଦିର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠଛି ପ୍ରଶ୍ନ । ସୂଚନା ଅନୁସାରେ ଜଣେ ବଙ୍ଗୀୟ ୟୁ-ଟ୍ୟୁବର, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । ୟୁନିଫାଏଡ ଅନିମେଶ ନାମରେ ସୋସିଆଲ ମିଡିଆ ଆକଉଂଟରୁ ୫ ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଶ୍ରୀମନ୍ଦିରର ସଂପୂର୍ଣ୍ଣ ମ୍ୟାପିଂ କରାଯାଇଛି । ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହାଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ସଂପୂର୍ଣ୍ଣ ଶ୍ରୀମନ୍ଦିର ଚାରିପଟେ ଉଡି ଡ୍ରୋନ କ୍ୟାମେରା ଏସବୁ ଭିଡିଓକୁ କଏଦ କରିଛି । ତେଣୁ ପ୍ରଶ୍ନ ଉଠୁଛି ନୋ-ଫ୍ଲାଇଂ ଜୋନରେ କିଭଳି ଏହି ଭିଡିଓ ରେକର୍ଡ କରାଗଲା ଓ ଏଥିପାଇଁ କିଏ ଅନୁମତି ଦେଲା ।