ଆଜିଠୁ ସବୁଦିନ ଖୋଲା ଶ୍ରୀମନ୍ଦିର : ରବିବାର ବି ବଡଦେଉଳରେ ମିଳିବ ବଡ ଠାକୁରଙ୍କ ଦର୍ଶନ

ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ମିଳିଲା ଅନୁମତି; ଶ୍ରୀମନ୍ଦିର ଭିତରକୁ ଜରି ବ୍ୟାଗ୍ ମନା; ପାନ ଖାଇ ଗଲେ ହଜାରେ ଟଙ୍କା ଜରିମାନା

69

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମସ୍ତ ବ୍ୟବଧାନ ଦୂର ହୋଇଛି । ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଓ ଭକ୍ତ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକର ସାନିଟାଇଜ କରିବା ପାଇଁ ପ୍ରତି ରବିବାର ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିଲା । ଏଣିକି ଏହି କଟକଣା ହଟିବ । ଭକ୍ତଙ୍କ ପାଇଁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।

ମନ୍ଦିର ପରିସରରେ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ନିଜ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଏହାଛଡା ମନ୍ଦିର ଭିତରେ କୌଣସି ମୂର୍ତିକୁ ସ୍ପର୍ଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପାନ କିମ୍ବା ତମ୍ବାଖୁ ଖାଇ ମନ୍ଦିର ଭିତରେ ପ୍ରବେଶ କରି ଛେପ ପକାଇଲେ ଏକ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ ।

ଏହାଛଡା ଶ୍ରୀମନ୍ଦିର ଭିତରକୁ ପଲିଥିନ ବ୍ୟାଗ ନେବା ମନା, କେହି ଉଲ୍ଲଂଘନ କଲେ ଶହେ ଟଙ୍କାର ଜରିମାନା ଗଣିବେ । ସେହିପରି ମନ୍ଦିରର ନିର୍ଦ୍ଧିଷ୍ଟ ସ୍ଥାନରେ ଦୀପଦାନ କରିପାରିବେ ଶ୍ରଦ୍ଧାଳୁ । ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବା ପାଇଁ ମଧ୍ୟ ଅନୁମତି ମିଳିଛି । ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ସକାଳ ୭ଟା ଯାଏଁ ଠାକୁର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।