ସରଗରମ ପୁରୀ ରାଜନୀତି । ବିଧାନସଭା ପାଇଁ କାହାକୁ ଟିକେଟ୍ ଦେବ ବିଜେଡି ? ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବିଜେଡି ଉପସଭାପତି ସୁବାଶିଷ ଖୁଂଟିଆଙ୍କ ନାଁ

403

କନକ ବ୍ୟୁରୋ: ସରଗରମ ହେଲାଣି ପୁରୀ ରାଜନୀତି । ଆଗାମୀ ସାଧାରଣ ନିର୍ବାଚନରେ ପୁରୀ ବିଧାନସଭା ପାଇଁ କାହାକୁ ଟିକେଟ୍ ଦେବ ବିଜେଡି । ଏହାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୈଦାନରେ ଉଭୟ ଉଭୟଙ୍କୁ ଖୋଲା ଚ୍ୟାଲେଂଜ ଦେଉଛନ୍ତି । ଏହାରି ଭିତରେ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ମଧ୍ୟ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି । କୁହାଯାଉଛି, ମହେଶ୍ୱର ମହାନ୍ତି ଆଗାମୀ ସାଧରଣ ନିର୍ବାଚନରେ ପୁଅ ସୁନୀଲଙ୍କୁ ମୈଦାନକୁ ଓହ୍ଲାଇପାରନ୍ତି । ଏହାରି ଭିତରେ ନିକଟରେ ଶୁଭାଶିଷ ଖୁଂଟିଆ ୧୦ ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀଙ୍କୁ ନେଇ ଜନସମ୍ପର୍କ ପଦଯାତ୍ରା କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ଶୁଭାଶିଷ ଏଭଳି ଶକ୍ତି ପ୍ରଦର୍ଶନ କରି ମହେଶ୍ୱରଙ୍କୁ ଚେକ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶୁଭାଶିଷଙ୍କୁ ଚେକ୍ ଦେବା ପାଇଁ ମହେଶ୍ୱର କେଉଁ ରଣନୀତି ଗ୍ରହଣ କରିବେ ତା ଉପରେ ନଜର ରହିଛି ।

ଅନ୍ୟପଟେ ବିଜେପି କାହାକୁ ଦେବ ଟିକେଟ୍ ? ଜୟନ୍ତ ଷଡଙ୍ଗୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯିବ ନା ଆଉ କାହାକୁ ଟିକେଟ୍ ଦେବ ଦଳ । ଟିକେଟ୍ ପାଇଁ ଅନେକ ଆଶାୟୀ ଥିବାରୁ କାହାକୁ ଦିଆଯିବ ବିଧାନସଭା ଟିକେଟ୍ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ କଂଗ୍ରେସ ଓ ଆପ୍ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।