ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ! ସେବାୟତ ପରିବାରର ୧୦ ବର୍ଷରୁ କମ କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପୀ ପାଳନ କରନ୍ତି ନେତକନ୍ୟା ଉତ୍ସବ

42

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର ପରମ୍ପରା ନିଆରା । ଉତ୍କଳୀୟ ସଂସ୍କୃତି ସହିତ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ରହିଛି ସ୍ୱତନ୍ତ୍ରତା । ଆଶ୍ୱିନ ପ୍ରତିପଦଠାରୁ ସେବାୟତ ପରିବାରର ୧୦ ବର୍ଷରୁ କମ କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ । ହରପାର୍ବତୀଙ୍କୁ ପୁଜା କରି ପରିବାରର ମଙ୍ଗଳ ସହିତ ଭଲ ଘର ବର ପାଇବା ପାଇଁ ସେବାୟତଘରର କୁମାରୀଙ୍କର ଏହା ପ୍ରମୁଖ ଉତ୍ସବ ।

୨ଶହ ବର୍ଷର କୌଳିକ ପରମ୍ପରା ସହ ଜଡିତ ଶ୍ରୀଜଗନ୍ନାଥ ସଂସ୍କୃତି । ଏହି ପରମ୍ପାରର ଏକ ଉତ୍ସବ ସେବାୟତ କୁମାରୀଙ୍କ ନେତ ପର୍ବ । ଆଶ୍ୱିନ ପ୍ରତିପଦ ଠାରୁ ସେବାୟତ କୁଳର କୁମାରୀମାନେ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ । ୧୦ ବର୍ଷରୁ କମ ବୟସର ଝିଅମାନେ ଉପବାସ ରହି ଘରେ ୧୭ ଦିନ ପୂଜା କରିବା ପରେ ଆଉ ୪ ଦିନ ସୁନ୍ଦର ବେଶଭୁଷା , ପାରମ୍ପରିକ ଗହଣା ପରିଧାନ କରି ମାର୍କଣ୍ଡପୁଷ୍କରୀଣୀ କୁଳରେ ମା ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି । ପୁରାଣ କହେ, ହରଙ୍କୁ ପାଇବା ପାଇଁ ପାର୍ବତି ଏହି ପୂଜା କରୁଥିଲେ ।

ପଂଚମୀ ତିଥିରେ ନେତକନ୍ୟାମାନେ ଗୁଆଲୀ ବେଶରେ ସଜେଇ ହୋଇଥାନ୍ତି । ସକାଳୁ ସୂର୍ଯ୍ୟଙ୍କୁ ପୂଜା କରି କୁମାରୀମାନେ ପାଟ ଶାଢୀ ବେକରେ ମାଳି , ହାତରେ ବାହୁଟି, ଗୋଡରେ ପାହୁଡ , ବାଙ୍କି ଭଳି ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ ହରପାର୍ବତୀଙ୍କୁ ପୁଜା କରିବାର ପରମ୍ପରା ରହିଛି । କୁମାର ପୁଣ୍ଣମୀ ଦିନ ମାନସିକ ଗୁଆକୁ ବିସର୍ଜନ କରି ଚାନ୍ଦ ଉତ୍ସବରେ ବ୍ରତ ଭାଙ୍ଗି ଥାନ୍ତି । ଅଢେଇ ବର୍ଷ ବୟସରୁ କୁମାରୀମାନେ ଏହି ବ୍ରତ କରିଥାନ୍ତି । ସେମାନେ ୩ ବର୍ଷ , ୫ ବର୍ଷ ବା ୭ ବର୍ଷର ମାନସିକ ରଖିଥାନ୍ତି । ସେବାୟତ ପରିବାର ସଦସ୍ୟମାନେ ଜାକଜକମରେ ଏହି ନେତ ପରମ୍ପରାକୁ ବଂଚାଇ ରଖିପାରିଛନ୍ତି ।