ସଇତାନର ପାପ କର୍ମ: କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି କୁନିଝିଅ, ଚାଞ୍ଚଲ୍ୟ ଖେଳାଇ ଦେଲା ପୁରୀ ଦୁଷ୍କର୍ମ ମାମଲା

1,399

କନକ ବ୍ୟୁରୋ: ସଇତାନର ପାପକର୍ମ । ମୃତ୍ୟୁ ସହ ସଂଗ୍ରାମ କରୁଛି ୫ ବର୍ଷର କୁନିଝିଅ । ଏହା ଏପରି ଘଟଣା, ଯାହାକୁ ଶୁଣିଲେ ଯେକେହି ବିଚଳିତ ହୋଇପଡିବେ । ପୁରୀରେ ଜଣେ ୫ ବର୍ଷର କୁନିଝିଅ ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଅଭିଯୁକ୍ତ ମହେଶ ମହାନ୍ତି ନିଶାସକ୍ତ ଅବସ୍ଥାରେ ଭୁଲିଯାଇଛି ହିତାହିତ ଜ୍ଞାନ । ଜଣେ ୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି ଏହି ସଇତାନ ବିରୋଧରେ । ପୀଡ଼ିତା ନାବାଳିକାଙ୍କ ବାପା ଜଣେ ରାଜମିସ୍ତ୍ରୀ । ଯେଉଁ ଅଂଚଳରେ ନାବାଳିକାର ପରିବାର ଘର ଭଡ଼ା ନେଇ ରହୁଛନ୍ତି, ସେହି ଅଂଚଳରେ ପୂର୍ବରୁ ରହୁଥିଲା ଅଭିଯୁକ୍ତ ।

ଦୁଷ୍କର୍ମର ଶିକାର ହେବା ପରେ ଗୁରୁତର ହୋଇପଡ଼ିଥିଲା ନାବାଳିକା । ପ୍ରଥମେ ପୁରୀ ହସ୍ପିଟାଲ ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି ପୀଡ଼ିତା । ପୀଡ଼ିତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଦୁଷ୍କର୍ମ ଓ ପକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁରୀ ପୁଲିସ ।

ପୁରୀ ଟାଉନ ଥାନା, କୁମ୍ଭାରପଡ଼ା, ବାସେଳିସାହୀ ଓ ବଳିଆ ପଣ୍ଡା ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଢ଼ାଯାଇଛି ଟିମ୍ । ଅଭିଯୁକ୍ତର ଘର ଜଗତସିଂହପୁର ଅଂଚଳରେ ହୋଇଥିବାରୁ ଜଗତସିଂହପୁର, ପାରାଦୀପ ସମେତ ପୁରୀର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରିଛି । ମାମଲାକୁ ୨୪ ଘଂଟା ପୂରିଥିଲେ ବି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନି ପୁରୀ ପୁଲିସ । ଅସ୍ଥାୟୀ ଡ୍ରାଇଭର ଭାବେ କାମ କରୁଥିବା ଅଭିଯୁକ୍ତ ମହେଶ, ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାଏ । ସ୍ତ୍ରୀ ଛାଡ଼ି ଚାଲିଯାଇଥିବାରୁ ସେ ଭଉଣୀ ଘରେ ରହୁଥିଲା ବୋଲି ଜଣାପଡିଛି ।