ପୁରୀ ଜିଲ୍ଲାରେ ଚାରା ଘୋଟାଲା ଅଭିଯୋଗ : ଗଛ ନଲଗାଇ ଅର୍ଥ ହରିଲୁଟ ଅଭିଯୋଗ ପରେ ପ୍ରଶାସନର ତନାଘନା, ୨୧ଟି ଫାଇଲକୁ ସ୍ଥଗିତ ରଖି ତଦନ୍ତ ଜାରି

233

କନକ ବ୍ୟୁରୋ : ମୃତ୍ତିକା ସଂରକ୍ଷଣ ବିଭାଗ ବିରୋଧରେ ଚାରା ଦୁର୍ନୀତି ଅଭିଯୋଗ । ବିଭାଗ ଚାରା ରୋପଣ ନକରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ଆସିଛି ପୁରୀ ଅସ୍ତରଙ୍ଗ ବ୍ଲକରୁ । ମହାତ୍ମାଗାନ୍ଧି ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରା ରୋପଣ କରାଯାଇଛି । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଚାରା ରୋପଣରେ ଅର୍ଥ ଆତ୍ମସାତ ହୋଇଛି । ଅସ୍ତରଙ୍ଗ ବ୍ଲକ ନୂଆଗଡ ପଂଚାୟତରେ ଜବକାର୍ଡ ଧାରୀଙ୍କୁ କାମ ନଦେଇ ବିନା ଜବକାର୍ଡ ଧାରୀ ଶ୍ରମିକଙ୍କୁ ନେଇ କାମ ଦିଆଯାଇଛି । ଏମିତିକି ମୃତ ବ୍ୟକ୍ତି, ରାଜ୍ୟ ବାହାରେ ଥିବା ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ଚାରା ରୋପଣ ଟଙ୍କା ଯାଇଥିବା ଅଭିଯୋଗ ହୋଇଛି ।

୧. ଅସ୍ତରଙ୍ଗ ବ୍ଲକର ୫ଟି ପଂଚାୟତରେ ଚାରା ରୋପଣ କରାଯାଇଛି ।

୨. ରାସ୍ତାକଡ, ବାଡିବଗିଚା ଓ ସରକାରୀ ଜାଗାରେ ଆମ୍ବ, ନଡିଆ ଭଳି ୫ ପ୍ରକାରର ଗଛ ଲଗାଯାଇଛି ।

୩. ସେଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ କରାଯାଇଛି ।

 ଜବକାର୍ଡ ଧାରୀ ଶ୍ରମିକ ଏଥିରେ କାମ କରୁଛନ୍ତି । ଯେଉଁମାନେ କାମ ପାଇନାହାନ୍ତି ସେମାନେ ଦୁର୍ନୀତି ଅଭିଯୋଗ ଆଣିଥିବା କହିଛନ୍ତି କାମ କରୁଥିବା କର୍ମଚାରୀ । ଚାରା ରୋପଣରେ ଘୋଟାଲା ହୋଇଥିବା ଅଭିଯୋଗ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ୨୧ଟି ଫାଇଲକୁ ସ୍ଥଗିତ ରଖି ତଦନ୍ତ ଚଳାଇଛନ୍ତି ।

ପରିବେଶ ସୁରକ୍ଷା ଓ ମୃତ୍ତିକା ସଂରକ୍ଷଣ ପାଇଁ ସବୁଜ ବଳୟ ସୃଷ୍ଟି କରିବାରୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବାତ୍ୟା ଫୋନି ମାଡରେ ନଷ୍ଟ ହୋଇଥିବା ସବୁଜ ବଳୟର କ୍ଷତି ଭରଣା ପାଇଁ ପୁଣି ଚାରା ରୋପଣ କରାଯାଉଛି । ନୂଆଗଡ ପଂଚାୟତର ୪ଟି ପ୍ରକଳ୍ପରେ ଗଛ ଲଗାଯାଉଛି । ଏ ବାବଦରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛି ପ୍ରଶାସନ ।