ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ ।

135

କନକ ବ୍ୟୁରୋ : ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏଥିପାଇଁ ଆଜି ରାତି ଗୋଟାଏରୁ ଆରମ୍ଭ ହେବ ପହଣ୍ଡି ବିଜେ । କୋଭିଡ କଟକଣା ପାଇଁ ଏଥର ମଧ୍ୟ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ହେବା ପରେ ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନେଇ ନୀତି ନିର୍ଘଂଟ ସ୍ଥିର ହୋଇଛି । ଚତୁର୍ଦ୍ଧ ମୂର୍ତି ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ । ଆସନ୍ତାକାଲି ସାକଳୁ ସ୍ନାନ ବେଦୀରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରେ ବାହୁଡା ପହଣ୍ଡି ପରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ ।

ତେବେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସମୀକ୍ଷା କଲେ ଜିଲ୍ଲାପାଳ । ନୀତିକାନ୍ତି ଶୃଙ୍ଖଳିତ କରାଯାଇ  ସକାଳ ସାଢ଼େ ୭ରୁ ଜଳଲାଗି ପାଇଁ କରାଯାଇଛି ବ୍ୟବସ୍ଥା । ୯୦ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ ରହିଛି ନେଗେଟିଭ । ଜାରି ରହିଛି ଦ୍ୱିତୀୟ ଡୋଜ ଟିକାକରଣ । ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ଦିଆଯାଇଛି ପାସ୍ । ଏହା ଗୋଟିଏ ଦିନ ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ରଥଯାତ୍ରା ପାଇଁ ନୂଆ ପାସ୍ ଇସ୍ୟୁ କରାଯିବ ।

ଚଳିତ ସ୍ନାନପୂର୍ଣ୍ଣିମାରେ ଗଜପତି ଛେରାପହଁରା କରିବେ ନାହିଁ । ଗଜପତିଙ୍କ ବଦଳରେ ମୁଦିରସ୍ତ ଛେରାପହଁରା ନୀତି ସମାପନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି ଗଜପତି ଦିବ୍ୟ ସିଂହ ଦେବ । ପରମ୍ପରା ଅନୁସାରେ ଦିନ ସାଢେ ୧୦ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଂରା ନୀତି ଅନୁଷ୍ଠିତ ହୋଇଥାଏ । ହେଲେ ଗତବର୍ଷ ପରି ଏଥର ମଧ୍ୟ ସ୍ନାନବେଦୀରେ ଗଜପତି ମହାରାଜ ଛେରା ପହଁରା କରିବେ ନାହିଁ । ଗତବର୍ଷ ମଧ୍ୟ ସ୍ନାନ ମଣ୍ଡପରେ ଛେରା ପହଂରା କରିନଥିଲେ ଗଜପତି ଦିବ୍ୟ ସିଂହ ଦେବ । ତାଙ୍କ ସ୍ଥାନରେ ମୁଦିରସ୍ଥ ସ୍ନାନ ମଣ୍ଡପରେ ଛେରା ପହଂରା ନୀତି ସଂପନ୍ନ କରିଥିଲେ ।