ମୁକ୍ତ ହେବ ମେଘନାଦ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ତତ୍ପର ହେଲା ଶ୍ରୀମନ୍ଦିର ପ୍ରଶାସନ । ବେଆଇନ ନିର୍ମାଣ ହଟିବ, ୯ଟି କୋଠା ଭଙ୍ଗାଯିବ

297

କନକ ବ୍ୟୁରୋ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ତନାଘନା । ପ୍ରଶାସନକୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ବେଆଇନ କୋଠା ଏବଂ ଜବରଦଖଲ ପଛରେ ଲୁଚିଯାଉଛି ମେଘନାଦ ପାଚେରୀ । ଏହି କୋଠା ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହଜ ହୋଇଥିବାରୁ ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏସବୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ନିଷ୍ପତି ନେଇଛି । ତେବେ ଆସନ୍ତା ୧୯ ତାରିଖରେ ମେଘନାଦ ପାଚେରୀ ପାଶ୍ୱର୍ରୁ ଜବର ଦଖଲ ଉଚ୍ଛେଦ ହେବ ।

ସେପଟେ ଉଚ୍ଛେଦ ପୂର୍ବରୁ ଏହାର ଆଇନଗତ ସ୍ଥିତି ଉପରେ ତର୍ଜମା ଆରମ୍ଭ ହୋଇଛି । ମେଘନାଦ ପାଚେରୀ ନିକଟରୁ ୯ଟି କୋଠା ଭାଙ୍ଗିବା ପାଇଁ ୩ଟି ମାମଲାରେ ଓଡିଶା ହାଇକୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶକୁ ତର୍ଜମା କରୁଛି ପ୍ରଶାସନ । ଜିଲ୍ଲାପାଳ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ତଥ୍ୟ ମାଗିଛନ୍ତି । ଜବର ଦଖଲ ଉଚ୍ଛେଦ ସମୟରେ ଅସ୍ଥାୟୀ ଜୋତା ଷ୍ଟାଣ୍ଡ, ପ୍ରତିହାରୀ ନିଯୋଗ କୋଠା, ରାମୋଦୟ ପରିଷଦ କୋଠା, ସିଂହଦ୍ୱାର ପହଣ୍ଡି ଓ ସୂଚନା କେନ୍ଦ୍ର ଭଙ୍ଗାଯିବାର ସମ୍ଭାବନା ଅଛି । ସେହିପରି ଦକ୍ଷିଣଦ୍ୱାରରେ ଥିବା କିଛି ଦୋକାନ ଏବଂ ପଶ୍ଚିମଦ୍ୱାରରେ ଥିବା ସେସୁର କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରାଯାଉଛି ।

ତେବେ ଜବରଦଖଲ ଉଚ୍ଛେଦ ସମୟରେ ସିଂହଦ୍ୱାର ନିକଟରେ ଥିବା ୨ଟି ପ୍ରାଚୀନ ମଠକୁ ସୁରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି ।