ପଞ୍ଜାବରେ ସ୍କୁଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ଅଗଷ୍ଟ ୨ ତାରିଖରୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ

150

କନକ ବ୍ୟୁରୋ : କରୋନା କାଳରେ ପାଖା ପାଖି ଦେଢ ବର୍ଷରୁ ଅଧିକ ହେବ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ଦେଶରେ କରୋନାର ଦୈନିକ ସଂକ୍ରମଣ କମୁଥିବା ଦେଖି ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି । ଏହି କ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଗଷ୍ଟ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।

ପଞ୍ଜାବ ସରକାର ଅଗଷ୍ଟ ୨ ତାରିଖରୁ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲବାକୁ ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ କଟକଣା ଭିତରେ ସ୍କୁଲ ଖୋଲିବା ଉପରେ ପଞ୍ଜାବ ସରକାର ଗୁରୁତ୍ୱ ଦେଇଛନ୍ତି । ବିଦ୍ୟାଳୟ ଗୁଡିକୁ ସାନିଟାଇଜ କରିବା, ଛାତ୍ର ଛାତ୍ରୀ ଓ ଶିକ୍ଷାକର୍ମୀ ମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କହିରଖୁ କି ପଞ୍ଜାବ ସରକାର ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ଦେଇଥିଲେ ।

ସୂଚନା ଥାଉକି ଗତ ୨୪ ଘଂଟା ମଧ୍ୟରେ ପଞ୍ଜାବରେ ମାତ୍ର ୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୯୯,୦୫୩ କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟରେ ଏବେ ୫୪୪ କୋଭିଡ ଆକ୍ଟିଭ୍ ମାମଲା ରହିଛି    ।