କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା ! ମହାମାରୀ ସଂକଟରେ ଆଉ ରହିବନି ଶିକ୍ଷାଦାନର ସମସ୍ୟା । ଅନଲାଇନରେ ପାଠପଢିବାକୁ ଏବେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବେ ସରକାର

8,272

କନକ ବ୍ୟୁରୋ: କରୋନା ପାଇଁ ଦୋହଲିଯାଇଛି ଶିକ୍ଷା ବ୍ୟବସ୍ଥା । ଦେଶବ୍ୟାପୀ ମହାମାରୀ ମହାସଂକଟ ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ସେହିଭଳି କରୋନା କାଳରେ ପିଲାଙ୍କ ପାଠପଢାରେ ଯେଭଳି କୌଣସି ପ୍ରକାରର ପ୍ରଭାବ ନପଡିବ ଏଥିପାଇଁ ବିଭିନ୍ନ ରାଜ୍ୟରେ ଅନଲାଇନ ପାଠପଢାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ହେଲେ ପିଲା ନା ମୋବାଇଲରେ ପାଠପଢି ପାରୁଛନ୍ତି ନା ସେମାନଙ୍କୁ ମନିଟରିଂ କରିପାରୁଛନ୍ତି ଶିକ୍ଷକ । ପାଠପଢିବାକୁ ଇଚ୍ଛା ଥିଲେ ମଧ୍ୟ କରୋନା କଟକଣା ପାଇଁ ପିଲାଙ୍କ ଏହି ଇଚ୍ଛା ଏବେ ଧିରେ ଧିରେ ମଳିନ ହୋଇପଡିଛି । କାରଣ ଅନଲାଇନରେ ପାଠପଢିବାକୁ ହେଲେ ଗୋଟିଏ ଭଲ ସ୍ମାର୍ଟଫୋନ ଦରକାର । କିନ୍ତୁ କୋଭିଡ୍ କଟକଣା ପାଇଁ ଏବେ ପରିବାର ତ ଚଳିବା ମୁସ୍କିଲ ହୋଇପଡୁଛି ଆଉ ଏଭଳି ସ୍ଥିତିରେ ପିଲାର ପାଠାପଢା ପାଇଁ ଫୋନଟିଏ କିଣିବା ଅଭିଭାବକଙ୍କ ପାଇଁ କାଠିକର ପାଠ ହୋଇପଡିଛି ।

ସଂକଟ କାଳରେ ପଂଜାବ ସରକାରଙ୍କ ବଡ ଘୋଷଣା । ଅନଲାଇନରେ ପାଠ ପଢିବା ପାଇଁ ଏଣିକି ପିଲାଙ୍କୁ ମିଳିବ ସ୍ମାର୍ଟଫୋନ । କରୋନା କଟକଣା ପାଇଁ ଅନଲାଇନ ପାଠପଢା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ମୋବାଇଲ ଅଭାବରୁ ଅନେକ ପିଲା ଶିକ୍ଷାରୁ ବଂଚିତ ହେଉଛନ୍ତି । ପାଠପଢିବାକୁ ଇଚ୍ଛା ଥିଲେ ସୁଦ୍ଧା ଟଙ୍କା ଅଭାବରୁ ପିଲାଙ୍କ ପାଠପଢା ଅଧାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ବାପାମାଆ । ତେଣୁ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନଜରରେ ରଖି ପଂଜାବର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ନବମରୁ ଦ୍ୱାଦଶ ଶ୍ରେଣୀର ପାଖାପାଖି ୫୦ ହଜାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବାକୁ ଘୋଷଣା କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ।  ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଛାତ୍ରୀଙ୍କୁ ଏହି ମୋବାଇଲ ଫୋନ ବାଂଟିବାକୁ ନିଷ୍ପତି ନେଇଛନ୍ତି ପଂଜାବ ସରକାର ।

ଏଠାରେ ଆମେ କହି ରଖୁଛୁ ଯେ, ଦେଶବ୍ୟାପୀ କୋଭିଡ ମହାମାରୀ କାରଣରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ମାସରୁ ବନ୍ଦ ହୋଇପଡିଛି । ସଂକ୍ରମଣ ବଢୁଥିବା ବେଳେ ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ରାଜ୍ୟ ସରାକରୀ ମାନେ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।  ଅନ୍ୟପଟେ ପିଲାଙ୍କୁ ଶିକ୍ଷା ସହ ଜଡିତ ରଖିବା ପାଇଁ  ଏହି ସମୟରେ ଅନଲାଇନ ପାଠପଢା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।