ଏଣିକି ଅନଲାଇନରେ ମିଳିବ ମଦ ! ଆପଣଙ୍କ ଘରେ ଆଣି ମଦ ପହଞ୍ଚାଇଦେବେ ଡେଲିଭରି ବୟ । ଜାଣନ୍ତୁ କେଉଁଠି ହେବାକୁ ଯାଉଛି ଏଭଳି ବ୍ୟବସ୍ଥା ।

4,467

କନକ ବ୍ୟୁରୋ : ସ୍ମାର୍ଟଯୁଗରେ ସବୁକିଛି ସ୍ମାର୍ଟ ଭାବେ ଚାଲିଛି । ଲୋକମାନେ ବଜାରକୁ ଯାଇ ଜିନିଷ କିଣିବା ପରିବର୍ତେ ଅଧିକାଂଶ ସାମଗ୍ରୀ ଅନଲାଇନରୁ ହିଁ କିଣୁଛନ୍ତି । କାରଣ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିନଥାଏ । ଡେଲିଭରି ବୟ ଆସି ଆପଣଙ୍କ ଘରେ ସାମଗ୍ରୀ ଦେଇ ଯାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜୋମାଟୋ, ସ୍ୱିଗି ଭଳି କେତେକ ଆପ୍ ଜରିଆରେ ଆପଣ ଅନଲାଇନରୁ ପ୍ରତିଦିନ ଖାଦ୍ୟ ଅର୍ଡର କରୁଥିବେ । ଏପରିକି ଅନେକ ଅନଲାଇନ୍ ସାଇଟରୁ ଆପଣ ଡ୍ରେସ, ମୋବାଇଲ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭଳି ଅନେକ ଜିନିଷ କିଣୁଥିବେ । କିନ୍ତୁ ଏଣିକି ମଦର ମଧ୍ୟ ହୋମ୍ ଡେଲିଭରି ।

ଖାଦ୍ୟ ଭଳି ଏଣିକି ମଦ ବି ଆପଣଙ୍କ ଘରେ ଆସି ପହଂଚିଯିବ । ଆଶ୍ଚର୍ଯ୍ୟ ଲାଗୁଥିବେ ବି ଏହା ସତ । ଏମିତି ହିଁ କିଛି ଯୋଜନା ଆଣିବାକୁ ଯାଉଛନ୍ତି ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏଭଳି କିଛି ଯୋଜନାକୁ ମଞ୍ଜୁରୀ ମିଳିଛି ।

ତେବେ ଏଠାରେ ଆମେ ସ୍ପଷ୍ଟ କରିଦେଉଛୁ, ମଦର ହୋମ୍ ଡେଲିଭରି ହେବାର ପ୍ରସ୍ତାବକୁ କେବଳ ପଞ୍ଜାବର ମୋହାଲି ଠାରେ ଲାଗୁ କରିବା ପାଇଁ ବିଚାର କରାଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମଦର ଅନଲାଇନ୍ ବିକ୍ରି ସେତେବେଳେ କରାଯିବ, ଯେତେବେଳେ ସହରରେ ମଦ ବିକ୍ରି କରିବାର ଲାଇସେନ୍ସ ରଖିଥିବା ପ୍ରତିଟି ମଦଦୋକାନୀ ଏହି ପ୍ରସ୍ତାବକୁ ବିରୋଧ ନକରିବେ । ଯଦି ଜଣେ ବି କିଏ ଏହାକୁ ବିରୋଧ କରିବେ, ତେବେ ଏହାକୁ ଲାଗୁ କରାଯିବ ନାହିଁ ।

ଆଉ ସବୁଠାରୁ ବଡ କଥା ହେଉଛି, ଯଦି ବି ଏହି ଯୋଜନା ଲାଗୁ ହୁଏ, ତେବେ ଆପଣ ହୋମ ଡେଲିଭରିରେ ଦୋକାନ ମୂଲ୍ୟରେ ମଦ କିଣିପାରିବେ ନାହିଁ । ଏଥିପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ଟଙ୍କା ଡେଲିଭରି ଚାର୍ଜ ହିସାବରେ ନିଆଯିବ । ତେବେ ଏହି ପ୍ରସ୍ତାବ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଅନେକ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ, ଅନେକ ବିରୋଧ ମଧ୍ୟ କରିଛନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଅଳ୍ପ କେତେକ ସ୍ଥାନରେ ପରୀକ୍ଷା ମୂଳକ ଭାବେ ଲାଗୁ କରାଯିବ ।

ତେବେ ପଞ୍ଜାବ ଏମିତି ପ୍ରଥମ ରାଜ୍ୟ ନୁହେଁ, ଯେଉଁଠି ମଦର ହୋମ୍ ଡେଲିଭରିକୁ କରାଯିବାକୁ ନେଇ ବିଚାର ବିମର୍ଶ କରାଯାଉଛି । ଏହା ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ଏମିତି ହିଁ ଏକ ପ୍ରସ୍ତାବ ଉପରେ ୨୦୧୮ରେ ବିଚାର କରାଯାଇଥିଲା । କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିନଥିଲା ।