ମେଣ୍ଟିଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ହେଲେ ସିଦ୍ଧୁ ଓ କ୍ୟାପଟେନ, ଅନ୍ନଦାତାଙ୍କ ସ୍ୱାର୍ଥକୁ ଫୋକସ

107

କନକ ବ୍ୟୁରୋ : ଶେଷରେ ମେଣ୍ଟିଲା ପଞ୍ଜାବ କଂଗ୍ରେସର କନ୍ଦଳ । ଏକାଠି ବସି ଚା ପିଇଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ଅଧ୍ୟକ୍ଷ ନବଜୋତସିଂ ସିଦ୍ଧୁ । ଆଜି ନବଜୋତସିଂ ସିଦ୍ଧୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଚା ପାର୍ଟିର ଆୟୋଜନ କରାଯାଇଥିଲା । ନବଜୋତସିଂ ସିଦ୍ଧୁ ପଞ୍ଜାବ ଭବନରେ ପହଂଚିବାର କିଛି ମିନିଟ ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ସେଠାରେ ପହଂଚିଥିଲେ । ଏହାପରେ ଉଭୟ କ୍ୟାପଟେନ୍ ଗୋଟିଏ ସୋଫାରେ ବସି ଚା ପିଇବା ପରେ ଅନୁମାନ କରାଯାଉଛି କି, ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ପୂର୍ଣ୍ଣଛେଦ ପଡିଛି ।

ଅନ୍ୟପଟେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରା ଆକ୍ସନ ମୋଡକୁ ଆସିଛନ୍ତି ସିଦ୍ଧୁ, ପ୍ରଥମେ ଅନ୍ନଦାତାଙ୍କୁ ଫୋକସ କରି ସେ କହିଛନ୍ତି କି, ରାସ୍ତାରେ ବସିଥିବା କୃଷକମାନଙ୍କ ସ୍ୱାର୍ଥକୁ ପ୍ରଥମେ ଗରୁତ୍ୱ ଦିଆଯିବ । ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି । ଏହାସହ ବିରୋଧୀଦଳକୁ ଟାର୍ଗେଟ୍ କରି ସିଦ୍ଧୁ କହିଛନ୍ତି କି ସେ ଲଢେଇ କରିବା ପାଇଁ ଜନ୍ମ ହୋଇଛନ୍ତି । ସେ କ୍ରିକେଟ ମଇଦାନ ହେଉ, କି ରାଜନୀତି ହକ୍ ପାଇଁ ସବୁଠି ଲଢିବାକୁ ସେ ପ୍ରସ୍ତୁତ ବୋଲି କହିବା ସହ ଏବେ ବିରୋଧୀ ପେଡି ପୁଟୁଳା ବାନ୍ଧିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି କି ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତି କୁ ସେ ଗ୍ରହଣ କରୁଛନ୍ତି ଓ ଆଗାମୀ ଦିନରେ ସିଦ୍ଧୁଙ୍କ ସହ ମିଶି କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।