‘ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡଯନ୍ତ୍ର ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଉ’ । ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ।

195

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଉ । ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ଷଡଯନ୍ତ୍ର ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସାମ୍ବାଦିକ ସମ୍ମିଳନୀ କରି ଚନ୍ନି ସରକାର ଉପରେ ବର୍ଷିବା ସହ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ପାଇଁ ଉଭୟ ଚନ୍ନି ସରକାର ଓ କଂଗ୍ରେସ ଷଡଯନ୍ତ୍ର କରିଥିଲେ ବୋଲି କହିଛନ୍ତି ହିମନ୍ତ । ନିଜ ଚୌକି ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ବୋଧହୁଏ ଷଡଯନ୍ତ୍ର କରିଥିଲେ ଚନ୍ନି । କିନ୍ତୁ ଏହାର ଜବାବ ଜନତା ନିଶ୍ଚୟ ଦେବେ ।

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କୌଣସି ବିଦେଶୀ ଶତ୍ରୁଙ୍କ ସହ ମିଶି ଷଡଯନ୍ତ୍ର କରିଥିବେ ବୋଲି କହିଛନ୍ତି ହିମନ୍ତ । ତେଣୁ ଏହାର ନିରପେକ୍ଷ ଯାଞ୍ଚର ଆବଶ୍ୟକତା ରହିଥିଲା । ସୁପ୍ରିମକୋର୍ଟକୁ ମାମଲା ଯିବା ପରେ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡ୍ରାମା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ପହଞ୍ଚାଇବା ପଞ୍ଜାବ ସରକାରଙ୍କର ଦାୟିତ୍ୱ ଥିଲା କିନ୍ତୁ ତାହା ହୋଇପାରିଲା ନାହିଁ । ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ଟେଲିଭିଜନ ଚ୍ୟାନେଲ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେସନରୁ ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାରକେଡ ଯେଉଁ ଅଞ୍ଚଳରେ ଅଟକି ରହିଥିଲା ସେଠାରେ ପ୍ରଦର୍ଶନ ହେବ ବୋଲି ପୂର୍ବରୁ ପୋଲିସକୁ ସୂଚନା ମିଳିଥିଲା । ଏନେଇ ଉପରିସ୍ଥ ଅଧିକାରୀ ମଧ୍ୟ ଜାଣିଥିଲେ । ଏହାସତ୍ତେ୍ୱ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଗଲା ନାହିଁ । ଏହାଛଡା ଆନ୍ଦୋଳନରେ ଚାଷୀ ନୁହେଁ ବରଂ ଖଲିସ୍ତାନୀ ସମର୍ଥକ ବସିଥିଲେ । ଏହାବାଦ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଅଟକିଥିବା ସ୍ଥାନ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ପାକିସ୍ତାନ ସୀମା ରହିଥିଲା । ଯେଉଁଠାରୁ ବେଶ ସହଜରେ ଶତ୍ରୁ ଦେଶର ଡ୍ରୋନ, ସ୍ନାଇପର, ମିସାଇଲ ରେଞ୍ଜ ପ୍ରଧାନମନ୍ତ୍ରୀଙ୍କ କାରକେଡ ଆସୁଥିଲା । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହିମନ୍ତ ।

ସବୁଠୁ ବଡ କଥା ହେଉଛି, ପ୍ରଧାନମନ୍ତ୍ରୀ କାରକେଡ ଅଟକିବା ଘଟଣା କଂଗ୍ରେସର ହାଇକମାଣ୍ଡଙ୍କ ସହ ଆଲୋଚନା କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । କିଭଳି ଦଳୀୟ ଫୋରମରେ ଏହା ଆଲୋଚନା କରାଗଲା ତାହାକୁ ନେଇ ହିମନ୍ତ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ । କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଦୂରେଇ ରହିଥିବା କହିଥିଲେ କିନ୍ତୁ ଏହି ଘଟଣାର ପରଦିନ କିଭଳି ଚନ୍ନି ପ୍ରେସମିଟ୍ କରି ସଫେଇ ରଖିଲେ ବୋଲି ପ୍ରଶ୍ନବାଣ ମାରିଛନ୍ତି । ଚନ୍ନି ସରକାରଙ୍କ କାର୍ଯ୍ୟକଳାପ ଓ କଂଗ୍ରେସ ନେତାଙ୍କ ବୟାନବାଜି ହିଁ ଦର୍ଶାଉଛି ଯେ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ବଡ ଧରଣର ପ୍ରାୟୋଜିତ ଷଡଯନ୍ତ୍ର ହୋଇଥିଲା ।

ଗତ ୫ ତାରିଖରେ ପଞ୍ଜାବରେ ଏକ ସଭାରେ ଯୋଗଦେବାକୁ ଯାଉଥିବା ବେଳେ ଫିରୋଜପୁର ଓଭରବ୍ରିଜ ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରାୟ ୧୫ରୁ ୨୦ ମିନିଟ୍ ଫଶି ରହିଥିଲା । ଚାଷୀ ପ୍ରଦର୍ଶନ କରୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଯାଇଥିଲା । ଆଉ ଏହାପରେ ସଭାସ୍ଥଳକୁ ନ ଯାଇ ବିମାନବନ୍ଦର ଫେରି ଆସିଥିଲେ ପ୍ରଧାନମନ୍ତ୍ରୀ । ଏହି ଘଟଣାକୁ ନେଇ ଏବେ ବିଜେପି-କଂଗ୍ରେସ ମଧ୍ୟରେ ଜୋରଦାର ବୟାନବାଜି ଯୁଦ୍ଧ ଆରମ୍ଭ ହୋଇଛି ।