କନ୍ଦଳ ଭିତରେ କୃଷକ ଚିନ୍ତା, ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ଚନ୍ନୀ

94

କନକ ବ୍ୟୁରେ: ପଞ୍ଜାବ କଂଗ୍ରେସର କ୍ଷମତା କନ୍ଦଳ ଭିତରେ ଆଜି ଦିଲ୍ଲୀ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି । ସେ ଆଜି ୪ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଏହି ସାକ୍ଷାତ ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃଷି ଓ କୃଷକ ସମସ୍ୟା ନେଇ ଆଲୋଚନା କରିବେ ବୋଲି ଆକଳନ କରାଯାଉଛି । ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ପ୍ରତ୍ୟାହାର ଓ ଧାନ କିଣିବା ନେଇ ଥିବା ସମୟ ଅବଧିକୁ ପ୍ରତ୍ୟାହାର କରିବା ନେଇ ଦାବି କରିପାରନ୍ତି । ଅନ୍ୟପଟେ କତାରପୁର ମୁଦ୍ଦା ବି ପ୍ରଧାନମନ୍ତ୍ରୀଙ୍କ ଆଗରେ ଉଠାଇ ପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ସାକ୍ଷାତକାର ହେବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କରାଯାଇଥିବା ଟ୍ୱିଟ ମୁତାବକ ୨୦୨୧-୨୨ର ଖରିଫ୍ ଋତୁ ପାଇଁ ଧାନ କିଣାକୁ ସ୍ଥଗିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା ସହ ଏହା ଉପରେ ପ୍ରଧାନମନ୍ତ୍ରୀ ପୁଣିଥରେ ବିଚାର କରନ୍ତୁ ବୋଲି ଦାବି କରିବେ ।

କେନ୍ଦ୍ର ସରକାରଙ୍କ ତରଫରୁ ଗୁରୁବାର ଦିନ ପଞ୍ଜାବ ଓ ହରିଆଣାରେ ଖରିଫ୍ ଧାନ କିଣିବା ତାରିଖ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି । ଏହାର କାରଣ ଭାବେ କୁହାଯାଇଛି କି ପ୍ରବଳ ବର୍ଷା କାରାଣରୁ ଫସଲ ଅମଳ ଡେରି ହୋଇଛି ।

ସେପଟେ ପଞ୍ଜାବରେ ଲାଗିଥିବା କ୍ଷମତା କନ୍ଦଳ ଓ ଗତକାଲି ଚନ୍ନୀ ଓ ସିଦ୍ଧୁଙ୍କ ମଧ୍ୟରେ ହୋଇଥିବା ବୈଠକ ନେଇ ଆଜି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିପାରନ୍ତି ଚନ୍ନୀ । ବିଶେଷ ସୂତ୍ର ମୁତାବକ ଚନ୍ନୀ ସିଦ୍ଧୁଙ୍କୁ ମନାଇବାରେ ସଫଳ ହୋଇଛନ୍ତି । କେବଳ କଥା ଅଟକିଛି ହାଇକମାଣ୍ଡଙ୍କ ପାଖରେ । ଯଦି ହାଇକମାଣ୍ଡ ରାଜି ହୋଇଯାନ୍ତି ତେବେ ସିଦ୍ଧୁ ପୁଣିଥରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ରହିବେ ।