ପୋଲିସ ହେବ ତ ଏମିତି !ଆଇଆଇସିଙ୍କ ବଦଳି ଅର୍ଡର ଆସିବା ପରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଲୋକ, କହିଲେ ଆଇଆଇସିଙ୍କୁ ବଦଳାଇଲେ ନିଆଁ ଜଳିବ । ଦେଖନ୍ତୁ ଭିଡିଓ 

5,806

କନକ ବ୍ୟୁରୋ : ପୋଲିସ ହେବ ତ ଏମିତି । ସାଧାରଣତଃ ପୋଲିସ ଟ୍ରେନିଂ ସମୟରେ ସାଧାରଣ ଲୋକଙ୍କ ସେବା କରିବା ପାଇଁ ତାଲିମ ଦିଆଯାଇଥାଏ ।ସାଧାରଣ ଲୋକଙ୍କ ରକ୍ଷକ ଭାବେ କାର‌୍ୟ୍ୟ କରିବାକୁ ଦିଆଯାଇଥାଏ ତାଲିମ ।  କିନ୍ତୁ ଦେହରେ ବର୍ଦ୍ଦି ପିନ୍ଧିବା ପରେ ଏହି କଥାକୁ ଅଧିକାଂଶ କର୍ମଚାରୀ ଭୁଲି ଯାଇଥାନ୍ତି । ଯେଉଁଥିପାଇଁ ପୋଲିସ ବିଭାଗକୁ ନେଇ ସାଧାରଣ ଲୋକମାନଙ୍କ ମନ ମଧ୍ୟରେ ନକରାତ୍ମକ ଚିତ୍ର ରହିଛି । ଆଉ ଏହି ଧାରଣା ଯୋଗୁଁ ସବୁବେଳେ ଲୋକ ପୋଲିସ ଠାରୁ ଦୁଇପାଦ ଦୂରରେ ରହିବାକୁ ଚାହିଁଥାନ୍ତି । କିନ୍ତୁ ଆସ୍କା ଥାନା ଅଧିକାରୀଙ୍କ କାହାଣୀ  ସେଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛି ।  ପୋଲିସ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା ।

ବିପଦର ବନ୍ଧୁ ସାଜି ସାଧାରଣ ଜନତାଙ୍କ ସାଥୀରେ ଛିଡା ହେଉଥିବା ଆସ୍କାର ଆଇଆଇସି ସନ୍ତୋଷ କୁମାର ଜେନାଙ୍କ କାହାଣୀ ପୋଲିସ ପ୍ରତି ଲୋକଙ୍କର ଥିବା ମନୋଭାବକୁ ବଦଳାଇବାକୁ ଯଥେଷ୍ଟ । ଅଧିକାଂଶ ଲୋକ ପୋଲିସ ଠାରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଆସ୍କା ଥାନାଅଧିକାରୀଙ୍କୁ ଝୁରୁଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ ନିଜ କାର୍ଯ୍ୟକାଳ ସମୟରେ ଆସ୍କାବାସୀଙ୍କ ପାଇଁ ବିପଦର ସାଥୀ ଭାବେ ଛିଡା ହୋଇଛନ୍ତି ସନ୍ତୋଷ । ତିତିଲି କଥା ହେଉ ଅବା ଅପରାଧ ଦମନ ସବୁ ସମୟରେ ସାଧାରଣ ଲୋକଙ୍କର ରକ୍ଷକ ସାଜିଥିଲେ ସନ୍ତୋଷ । ତିତିଲି ବାତ୍ୟା ପରେ ଆସ୍କାରେ ଯେଉଁଭଳି ପ୍ରଳୟଙ୍କାରୀ ବନ୍ୟା ଦେଖା ଦେଇଥିଲା ସେଭଳି ସମୟରେ ଦେବଦୂତ ସାଜି ଉଭା ହୋଇଥିଲେ ସନ୍ତୋଷ । ତିତିଲି ବାତ୍ୟା ସମୟରେ ଯେତେବେଳେ ଅଫିସର ମାନେ ଏସି ରୁମରେ ବସି ମନିଟରିଂ କରୁଥିଲେ ସେଭଳି ସମୟରେ ଅଣ୍ଟାଏ ପାଣିରେ ପଶି ଲୋକଙ୍କ ପାଖରେ ପହଞ୍ଚିଥିଲେ ଏହି ପୋଲିସ ଅଫିସର ।  ଆଉ ଏହି ଛୋଟିଆ ପ୍ରୟାସ ଯୋଗୁଁ ଆସ୍କାବାସୀଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ ସନ୍ତୋଷ ।

ଏହାଛଡା ଦେଢ ବର୍ଷର ରହଣି ସମୟରେ ଆସ୍କାରେ ଅପରାଧୀଙ୍କୁ ଦମନ କରିବା ସହ ସାଧାରଣ ଲୋକଙ୍କ ପାଇଁ ରକ୍ଷା କବଚ ସାଜି ଛିଡା ହୋଇଥିଲେ । ଯେଉଁଥିପାଇଁ ଆଇଆଇସି ସନ୍ତୋଷ କୁମାର ଜେନା ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଆଉ ଯେତେବେଳେ ଦୀର୍ଘ ଦେଢ ବର୍ଷ ପରେ ଆସ୍କା ଥାନାରୁ ଆଇଆଇସି ସନ୍ତୋଷ ଜେନାଙ୍କର ବଦଳି ହେବାକୁ ଯାଉଛି ସେତେବେଳେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ସାଧାରଣ ଜନତା । କେବଳ ଗୋଟିଏ ସ୍ଥାନ ନୁହେଁ ବରଂ ଆସ୍କାର ବିଭିନ୍ନ ଅଞ୍ଚଳରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । କାରଣ ନିଜ ପ୍ରିୟ ଥାନାଅଧିକାରୀଙ୍କୁ ଛାଡିବାକୁ ନାରାଜ ଆସ୍କାବାସୀ । ଆଉ ଏଭଳି ସ୍ଥିତିରେ ମଧ୍ୟ ଲୋକଙ୍କୁ ବୁଝାଇବାକୁ ପଛାନାହାନ୍ତି ସନ୍ତୋଷ । ନିଜର ବଦଳି ବିଷୟରେ ଏସପିଙ୍କ ସହ କଥା ହେବାକୁ କହିବା ପରେ ଲୋକେ ଧାରଣାରୁ ଉଠିଛନ୍ତି ।