ପୁଣି ତେଜିଲା ଚାଷୀ ଆନ୍ଦୋଳନ : କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ ଡାକରା

୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ; ସେପଟେ ଚାଷୀଙ୍କ ରୋକିବା ପାଇଁ ଗାଜିପୁର ସୀମାରେ ଲୁହା କଂଟା ପୋତିଲା ଦିଲ୍ଲୀ ପୁଲିସ୍

123

କନକ ବ୍ୟୁରୋ : ପୁଣି ତେଜିଲା ଚାଷୀ ଆନ୍ଦୋଳନ । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆସନ୍ତା ୬ ତାରିଖ ଦେଶବ୍ୟାପୀ ବିକ୍ଷୋଭ କରିବେ କୃଷକ । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀକରି ଭାରତୀୟ କିଷାନ୍ ସଂଘ (ଆର୍) ପକ୍ଷରୁ କୁହାଯାଇଛି ଯେ, ଦେଶର ସବୁ ରାଜ୍ୟରେ ଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ୩ ଘଂଟା ଧରି ବନ୍ଦ କରି ରଖାଯିବ ।

ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଗତକାଲି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଂଟରନେଟ୍ ସେବାରେ କଟକଣା ଏବଂ କ୍ୟାରିକେଟ୍ ଲଗାଇ ରାସ୍ତା ବନ୍ଦ କରିଥିଲା ଦିଲ୍ଲୀ ପୁଲିସ୍ । ଆଉ ଏହା ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି । ଏପଟେ ଦିଲ୍ଲୀର ପ୍ରବେଶ ପଥ ଗୁଡ଼ିକରେ ଏବେ ବି ଚାଷୀ ଆନ୍ଦୋଳନରେ ବସିଛନ୍ତି । ଆଉ ଆଗାମୀ ୬ ତାରିଖ ଦିଆଯାଇଥିବା ବିକ୍ଷୋଭରେ ସାରା ଦେଶର ଚାଷୀ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।

ସେପଟେ, ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ଧାରଣାର କେନ୍ଦ୍ରସ୍ଥଳ ଭାବେ ପରିଚିତ ସିଙ୍ଘୁ, ଗାଜିପୁର ଓ ଟିକ୍ରି ଆଦି ନୂଆଦିଲ୍ଲୀର ସୀମାନ୍ତ ସ୍ଥାନମାନଙ୍କରେ ବନ୍ଦ ଥିବା ଇଣ୍ଟରନେଟ୍‌ ସେବା ଆଗାମୀ ଶନିବାର ଯାଏଁ ବନ୍ଦ ରହିବ ବୋଲି ଜଣାଯାଇଛି। ଚାଷୀମାନଙ୍କ ଆନ୍ଦୋଳନ ଦିନକୁ ଦିନ ହିଂସାତ୍ମକ ମୋଡ଼ ନେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତ ଶନିବାର ସଂପୃକ୍ତ ସ୍ଥାନମାନଙ୍କରେ ମାତ୍ର ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ କରିଥିଲେ।