ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅକ୍ତିଆରକୁ ନେଲେ ପ୍ରଦର୍ଶନକାରୀ। ସଂସଦ ଭବନକୁ ମଧ୍ୟ କଲେ କବଜା।

95

କନକ ବ୍ୟୁରୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ନଦେଇ ମାଳଦ୍ୱୀପ ଫେରାର ହୋଇଯିବା ଖବର କଲମ୍ବୋରେ ନିଆଁ ଲଗାଇ ଦେଇଛି । ରାଷ୍ଟ୍ରପତି ଗୋଟାବାୟାଙ୍କ ମାଳଦ୍ୱୀପ ଫେରାର ଖବର ପରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରିଛନ୍ତି । ଅଧବାଟରେ ସେମାନଙ୍କୁ ରୋକିବା ପାଇଁ ସୁରକ୍ଷା କର୍ମୀ, ଲୁହବୁହା ଗ୍ୟାସ, ପାଣି ମାଡ ଓ ଫାଙ୍କା ଗୁଳି ଚାଳନା କରିଥିଲେ ମଧ୍ୟ କିଛି ପ୍ରଭାବ ପଡିନାହିଁ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି ଉତ୍ତ୍ୟକ୍ତ ଜନତା ଶ୍ରୀଲଙ୍କା ପତାକା ଉଡାଇଛନ୍ତି । ଖାଲି ଏତିକି ନୁହେଁ ଦେଶର ସରକାରୀ ଟିଭି ଚ୍ୟାନେଲକୁ ନିଜ କବଜାକୁ ନେଇଥିଲେ ସରକାର ବିରୋଧୀ ଆନ୍ଦୋଳନକାରୀ ।

ଗୋଟାବାୟା ଦେଶ ଛାଡି ଚାଲିଯିବା ପରେ ଶ୍ରୀଲଙ୍କାର କାର୍ଯ୍ୟକାରୀ ସଭାପତି ରାନିଲ ବିକ୍ରମସିଂଘେ ଦେଶର ନୂଆ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହୋଇଛନ୍ତି । ବିକ୍ଷୋଭକାରୀଙ୍କ ଅରାଜକତାକୁ ନେଇ ସେ କହିଛନ୍ତି କିଛି ଫାଶୀବାଦୀ ସରକାରକୁ ନିଜ ହାତକୁ ନେବାକୁ ଉଦ୍ୟମ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ।

ଶ୍ରୀଲଙ୍କାକୁ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଭିତରେ ଛାଡିଦେଇ ରାଷ୍ଟ୍ରପତି ଗୋଟାବାୟା ରାତି ଅଧିଆ ବାୟୁସେନାର ସ୍ୱତନ୍ତ୍ର ପ୍ଲେନରେ ମାଳଦ୍ୱୀପ ଚାଲିଯାଇଛନ୍ତି । ସେଠାରୁ ସିଙ୍ଗାପୁର ପରିବାର ସହ ସେ ଚାଲି ଆସିଥିବା କୁହାଯାଉଛି । ଆଗକୁ ଦୁବାଇ ଯାଇ ଗୋଟାବାୟ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।