ଆଶଙ୍କାରେ ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ! ସାଂଘାତିକ ସମସ୍ୟା ସୃଷ୍ଟି କରୁଛି ଶିକ୍ଷକ ଆନ୍ଦୋଳନ, ବିଳମ୍ବରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

22

କନକ ବ୍ୟୁରୋ : ବିଳମ୍ବ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷାଫଳ । ଶିକ୍ଷକଙ୍କ ଆନ୍ଦୋଳନ ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ । ଧିମା ଗତିରେ ଖାତା ଦେଖା ଚାଲୁଥିବାରୁ ଠିକ ସମୟରେ ପରୀକ୍ଷା ପ୍ରକାଶ ପାଇବାରେ ସନ୍ଦେହ ଦେଖାଦେଇଛି । ସେପଟେ ଆଉ ଏକ ବଡ ଆଶଙ୍କା ହେଉଛି ସର୍ବଭାରତୀୟ ସ୍ତରର ପ୍ରତିଯୋଗୀତା ମୂଳକ ପରୀକ୍ଷା । ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ କିନ୍ତୁ କାଉନସେଲିଂ ସମୟରେ ସମସ୍ୟା ସୃଷ୍ଟି ହେବ । ଫଳରେ ଜେଇଇ, ନିଟ୍, ନାଇଜର, ଏମ୍ସ ଆଦି ସର୍ବଭାରତୀୟ ସ୍ତରର ପରୀକ୍ଷା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି ।

ଅଧ୍ୟାପକଙ୍କ ଆନ୍ଦୋଳନ ତିନି ଲକ୍ଷ ୬୫ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଆଜି ମଧ୍ୟ ଅଧ୍ୟାପକ ଉପସ୍ଥାନ କମ୍ ରହିଛି । ଫଳରେ ଖାତା ଦେଖା କାମ ଧିମେଇ ଯାଇଛି, ଆଉ ଏହାର ସିଧା ପ୍ରଭାବ ପରୀକ୍ଷା ଫଳ ପ୍ରକାଶ ଉପରେ ପକାଇବ । ତେବେ ମେ ୨୦ ତାରିଖ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦୃଢୋକ୍ତି ପ୍ରକାଶ କରିଛି ପରିଷଦ । କିନ୍ତୁ ଶିକ୍ଷକଙ୍କ ଆନ୍ଦୋଳନ ଓ ଖାତା ଦେଖା ଧିମେଇ ଯାଇଥିବାବେଳେ କିଭଳି ନିର୍ଧାରିତ ଫଳ ପ୍ରକାଶ ପାଇବ ତାକୁ ନେଇ ସନ୍ଦେହ ରହିଛି ।

ଯଦି ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ବିଳମ୍ବିତ ହୁଏ, ତେବେ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗୀତାମୂଳକ ପରୀକ୍ଷା ତ ସେମାନେ ଦେଇପାରିବେ ହେଲେ କାଉନସେଲିଂରେ ସମସ୍ୟା ସୃଷ୍ଟି ହୋଇପାରେ ।
୧. ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ତ ଦେଇପାରିବେ ହେଲେ ଯଦି ରେଜଲ୍ଟ ଠିକ ସମୟରେ ନବାହାରେ ତେବେ କାଉନସେଲିଂ ସମୟରେ ସବୁ ଅଟକି ଯିବ ।
୨. ସେହିଭଳି ନାଇଜର, ଆଇ ଆଇ ଟି, ଏନଆଇଟି ଓ ଏମ୍ସ ଭଳି ଶିକ୍ଷାନୁଷ୍ଠାନରେ କାଉନସେଲିଂ ଲାଗି ଯୁକ୍ତ ଦୁଇ ପରୀକ୍ଷା ଫଳ ଆବଶ୍ୟକ ।
୩. ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ଆବେଦନ ଲାଗି ଯୁକ୍ତଦୁଇ ପରୀକ୍ଷା ଫଳ ଆବଶ୍ୟକ ।
୪. କିଛି ପାଠ୍ୟକ୍ରମ ମେ ମାସରୁ ଆରମ୍ଭ ହେବାକୁ ଥିବାବେଳେ ସେଥିପାଇଁ ଆବେଦନରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଦେବାକୁ ପଡିଥାଏ ।

ପ୍ରଥମ ପର୍ଯ୍ୟାୟ ଖାତା ଦେଖାର ପାଂଚ ଦିନ ବିତି ଯାଇଥିଲେ ସୁଧା ଶିକ୍ଷକଙ୍କ ଉପସ୍ଥାନ ୩୦ ପ୍ରତିଶତରୁ ଅଧିକ ହୋଇନାହିଁ । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୫ହଜାର ୮ଶହ ଅଧ୍ୟାପକ ଖାତା ଦେଖିବାକୁ ସିଏଚଏସଇ ନିଯୁକ୍ତ କରିଛି କିନ୍ତୁ ଆଶାନୁରୁପ ଖାତା ଦେଖା ହୋଇପାରୁନାହିଁ । ତେଣୁ ଏହା ସମ୍ପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।